କଟକ, ଏନ୍ଏନ୍ଏସ୍: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ପରିସ୍ଥିତି ଅଣାୟତ ହୋଇ ପଡ଼ୁଥିବାବେଳେ ବିଭିନ୍ନ ରାଜ୍ୟର ସହରାଞ୍ଚଳରେ ଅକ୍ସିଜେନ୍ ଅଭାବରୁ ରୋଗୀଙ୍କ ମୃତ୍ୟୁ ହେବା ଘଟଣା ସାରା ଦେଶରେ ଆତଙ୍କ ଖେଳାଇ ଦେଇଛି। ଏହି ପରିପ୍ରେକ୍ଷୀରେ ରାଉରକେଲା, ଢେଙ୍କାନାଳ, ଯାଜପୁର, ଅନୁଗୁଳ ଆଦି ଶିଳ୍ପାଞ୍ଚଳରୁ ଆଜି ୪୯ ଟ୍ୟାଙ୍କର୍ ଯୋଗେ ୮୬୯ ମେଟ୍ରିକ୍ ଟନ୍ ମେଡିକାଲ ଅକ୍ସିଜେନ୍ ଉତ୍ତରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଆଦି ୬ ରାଜ୍ୟକୁ ଚାଲାଣ କରାଯାଇଛି। ଗତ ତିନିଦିନ ମଧ୍ୟରେ ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୭୮ ଟ୍ୟାଙ୍କର୍ ଯୋଗେ ୧୩୭୯ ମେଟ୍ରିକ୍ ଟନରୁ ଅଧିକ ଅକ୍ସିଜେନ୍ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ, ହରିୟାନା, ଦିଲ୍ଲୀ, ଉତ୍ତରପ୍ରଦେଶ ସମେତ ଅନ୍ୟ ସ୍ଥାନକୁ ପଠାଯାଇଛି। ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର ଗୁଡ଼ିକର ସହଜ ଯାତାୟତ ନିମନ୍ତେ ସ୍ୱତନ୍ତ୍ର ଗ୍ରୀନ୍ କରିଡର୍ ପ୍ରସ୍ତୁତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କର୍ଗୁଡ଼ିକର ଯାତାୟତରେ ଯେପରି କୌଣସି ଅସୁବିଧା ନହୁଏ ସେ ନେଇ ରାଜ୍ୟ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।