ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ କୋଭିଡ୍ ସଂକ୍ରମିତ ମାମଲା ବୃଦ୍ଧି ପାଇବାପରେ ରାଜ୍ୟସରକାର ଆନ୍ତଃ ରାଜ୍ୟ ବସ୍ ଚଳାଚଳକୁ ସମ୍ପୂର୍ଣ୍ଣ ବାତିଲ କରିଛନ୍ତି। ଗତ୧୯ରୁ ସମସ୍ତ ଆନ୍ତଃ ରାଜ୍ୟ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଫଳରେ ସେହି ବସଗୁଡିକରେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ବେତନ ନପାଇ ବେକାରୀ ହୋଇପଡିଛନ୍ତି। ସେହିପରି ରାଜ୍ୟ ଭିତରେ ବସ୍ ଚଳାଚଳ କରୁଥିଲେ ହେଁ ବସରେ ଛିଡ଼ା ହୋଇ କୌଣସି ଯାତ୍ରୀ ଯାଇପାରିବେ ନାହିଁ ଓ କେବଳ ସିଟ୍ ଯେତିକି ସେହି ସଂଖ୍ୟକ ଯାତ୍ରୀ ନେବାକୁ ନିର୍ଦ୍ଦେଶ ରହିଥିବାରୁ ବସ୍ ମାଲିକମାନେ ବହୁ କ୍ଷତି ସହୁଛନ୍ତି। ଫଳରେ ସରକାର ସହାୟତା ଦେବା ଲାଗି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଦାବି ହୋଇଛି। ଟ୍ୟାକ୍ସି ଓ ଅଟୋ ରିକ୍ସାରେ ସର୍ବାଧିକ ୨ ଜଣ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ମିଳିବ। ମେ’, ଜୁନ୍ ଏବଂ ଜୁଲାଇ ମାସର ଟ୍ୟାକ୍ସ ଛାଡ କରିବାକୁ ସରକାରଙ୍କୁ ସଂଘ ଅନୁରୋଧ କରିଥିବା ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ ସୂଚନା ଦେଇଛନ୍ତି।
ପ୍ରକାଶଥାଉ କି, ଓଡ଼ିଶାରୁ ପ୍ରାୟ ୧୫୦ଟି ବସ୍ ଛତିଶଗଡ, ମଧ୍ୟପ୍ରଦେଶ, ଝାରସୁଗୁଡା, ବିହାର, ଆନ୍ଧ୍ର, ପଶ୍ଚିମବଙ୍ଗକୁ ଯା’ଆସ କରିଥାଏ। ଏହି ସବୁ ବସ୍ ଏବେ ରାସ୍ତା ଉପରେ ଛିଡା ହୋଇରହିଛି। ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଯାଉଥିବା ବସ୍ ଚଳାଚଳ ଏବଂ ରାଜ୍ୟ ଭିତରେ ଚାଲୁଥିବା ୧୪ ହଜାର ବସ୍ ସମେତ ରାଜଧାନୀରୁ ବିଭିନ୍ନ ଜିଲ୍ଲାକୁ ଯାଉଥିବା ୧୨ ଶହ ବସ୍ ମଧ୍ୟ ସଙ୍କଟଜନକ ସ୍ଥିତିରେ ରହିଛି।