ଭୁବନେଶ୍ୱର,ଏନ୍ଏନ୍ଏସ୍: ଦେଶରେ କରୋନାର ଭୟଙ୍କର ସ୍ଥିତି ଦେଖାଯଉଥିବା ବେଳେ ଦୈନିକ ସଂକ୍ରମଣ ଦିନକୁ ୩ ଲକ୍ଷ ଟପିଛି। ସେହିପରି ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ୨୫୦୦ ଛୁଇଁବାକୁ ଯାଉଛି। ଏହି ମଧ୍ୟରେ ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣ ସଂଖ୍ୟା ୬ ହଜାର ପାର ହୋଇଛି। ଅନ୍ୟପଟେ ହସ୍ପିଟାଲରେ ଅମ୍ଳଜାନର ଅଭାବ ଦେଖାଦେଇଛି। ଦେଶର ଅର୍ଥନୀତି ଗତବର୍ଷ ଅପେକ୍ଷା ଆହୁରି ଅଧିକ ଖରାପ ହେବ। ବେରୋଜଗାରୀ ବଢ଼ିବ। ଏପରି ସ୍ଥିତିରେ ସରକାରରେ ଥିବା ଅହଂକାରୀ ବାହାଦୁରୀଆ ଶାସକ ଶ୍ରେଣୀ ଅନ୍ତତଃ ଆତଙ୍କ ସୃଷ୍ଟି ନକରି ଚୁପ୍ ରହିବା ଉଚିତ ବୋଲି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟର ବରିଷ୍ଠ ନେତା ମନୋରଞ୍ଜନ ଦାସ ଓ କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଏଥିସହିତ ସେ କହିଛନ୍ତି କି ଦେଶର ଏହି ସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ହିଁ ଦାୟୀ। ଆଜି ଯଦି ଦେଶରେ କରୋନା ଜନିତ ଏପ୍ରକାର ବିପର୍ଯ୍ୟୟ ଘନୀଭୂତ ହୋଇଛି ସେଥିପାଇଁ ଭାରତ ସରକାର ଆଉ ଶାସନରେ ଥିବା କୁହାଳିଆ ମନ୍ତ୍ରୀ ନେତାମାନେ ଦାୟୀ। ସେମାନେ ଦେଶରେ କରୋନା ଟିକାର ଅଭାବ ଥିବାବେଳେ ବିଦେଶକୁ ରପ୍ତାନି କରି ବାହାବାହା ସାଉଁଟୁଥିବା ଓ ଶିଳ୍ପପତିମାନଙ୍କୁ ଧନ ସାଉଁଟିବାର ସୁଯୋଗ ଦେବା ଦେଖାଦେଲା। ସିରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୋଭିସିଲ୍ଡ଼ ଟିକାର ମୂଲ୍ୟ ପ୍ରାଇଭେଟ ହସ୍ପିଟାଲ ପାଇଁ ୬୦୦ ଟଙ୍କା ରଖାଯାଇଛି। ଅଥଚ ସରକାରଙ୍କ ପାଇଁ ୪୦୦ ଟଙ୍କା ରଖାଯାଇଛି। ଗୋଟିଏ ରେଟ୍ ହେଲାନାହିଁ କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଆଜିର ଏହି ଅବ୍ୟବସ୍ଥା ପାଇଁ କରୋନାକୁ ଦୋଷ ଦେଇ ମୋଦୀ, ଶାହା, ହର୍ଷବର୍ଦ୍ଧନ ଖସିଯାଇପାରିବେ ନାହିଁ।