ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗା ଘଟଣା: ବିଜେପିର ୩ ବିଧାୟକ ନିଲମ୍ବିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ବିଧାନସଭାରେ ଅଧିବେଶନ ସମୟରେ ବିରୋଧୀ ଦଳ ପକ୍ଷରୁ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବିଜେପିର ୩ ଜଣ ବିଧାୟକଙ୍କୁ ଚଳିତ ଅଧିବେଶନରୁ ନିଲମ୍ବିତ କରାଯାଇଛି। ଏଥିରେ ବିରୋଧୀ ଦଳର ମୁଖ୍ୟ ସଚେତନ ମୋହନ ମାଝୀ, ଉପନେତା ବିଷ୍ଣୁ ସେଠୀ ଓ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ପରେ ବିଧାୟକ ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି କି ଅତ୍ୟାଚାର ବିରୋଧରେ ସ୍ୱର ଉଠାଇ ନିଲମ୍ବିତ ହୋଇଛୁ। ଏଭଳି ନିଲମ୍ବିତ ଆଦେଶକୁ ଖାତିର କରେ ନାହିଁ ବୋଲି ଜୟନାରାୟଣ କହିଛନ୍ତି।

ସୂଚନା ଅନୁସାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୋଡିୟମ ଉପରକୁ ବିରୋଧୀ ଦଳ ଚପଲ ଫିଙ୍ଗିଥିଲେ। ଏଥିସହ ଇୟରଫୋନ ଓ କାଗଜ ମଧ୍ୟ ଫିଙ୍ଗିଥିଲେ। ତେବେ ଏସବୁ କିଏ ଫିଙ୍ଗିଛି ତାହା ଜାଣିବା ପାଇଁ ବାଚସ୍ପତି ହଲର ସିସିଟିଭି ଫୁଟେଜ ମଗାଇଥିଲେ। ସିସିଟିଭି ଫୁଟେଜ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇଛି।