ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ଗୃହ ବିଭାଗ ପକ୍ଷରୁ ୨୦୨୦ ବର୍ଷର ଶ୍ୱେତପତ୍ର ପ୍ରକାଶ ପାଇଛି। ୧ ଲକ୍ଷ ୩୪ ହଜାର ୨୩୦ ପଞ୍ଜିକୃତ ଅପରାଧ ମାମଲାରୁ ୧ ଲକ୍ଷ ୧୦ ହଜାର ୭୪୧ଟି ଆଇପିସିରେ ପଞ୍ଜିକୃତ ହୋଇଛି। ୯୩ ହଜାର ୨୨୯ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି। ୧୪୭୦ଟି ହତ୍ୟା ମାମଲାରୁ ୧୩୯୨ଟି ମାମଲା ସତ୍ୟ ହୋଇଥିବା ବେଳେ ୬୯୪ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି। ସେହିପରି ୫୧୪ଟି ଡକାୟତି ମାମଲାରେ ୫୦୨ଟି ସତ୍ୟ ହୋଇଥିବା ବେଳେ ୨୫୪ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି। ସେହିପରି ୨୧୬୭ ଲୁଣ୍ଠନ ମାମଲା ରୁଜୁ ହୋଇ ୧୮୧୬ ଜଣ ଅପରାଧୀ ଗିରଫ ହୋଇଛନ୍ତି।
ସୂଚନା ଅନୁସାରେ ଆଜି ବିଧାନସଭାରେ ଅଧିବେଶନ ଆରମ୍ଭ ପୂର୍ବରୁ କଂଗ୍ରେସ କୃଷି ଆଇନକୁ ବିରୋଧ କରି ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ। ଏନେଇ ପୁଣି ବାଚସ୍ପତି ଗୃହକୁ ସାଢ଼େ ୧୧ଟା ଯାଏ ମୁଲତବୀ କରିଛନ୍ତି। ତେବେ ଆଜି ଗୃହ ବିଭାଗର ଖର୍ଚ୍ଚ ନେଇ ଅଧିବେଶନରେ ଆଲୋଚନା ହେବ। ଏହି ଆଲୋଚନା ପୂର୍ବରୁ ଶ୍ୱେତପତ୍ର ୨୦୨୦ ପ୍ରକାଶ ପାଇଛି। ଏଥିରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି କିପରି ରହିଛି ତାର ବିସୃତ ତଥ୍ୟ ରହିଛି।