ପହିଲାରୁ ରାଜ୍ୟରେ ହେଲମେଟ ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି କଡ଼ାକଡ଼ି ଭାବେ ହେଲମେଟ୍ ଚେକିଂ ଆରମ୍ଭ ହେବ। ଏପ୍ରିଲ ପହିଲାରୁ ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ। ବିନା ହେଲମେଟରେ ବାଇକ ଚଲାଉଥିବା ଏବଂ ଗାଡି ପଛରେ ବସିଥିବା ଯାତ୍ରୀ ହେଲମେଟ ନ ପିନ୍ଧିଲେ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢୀ ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ କମିସନରେଟ ପୁଲିସକୁ ଚିଠି ଲେଖିଛନ୍ତି। ଚଳିତ ବର୍ଷ ସଡ଼କ ସୁରକ୍ଷା ସପ୍ତାହ ପରିବର୍ତ୍ତେ ସୁରକ୍ଷା ମାସ ପାଳନ କରାଯାଇଥିଲା। ନିକଟରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଅଧିକାଂଶ ବାଇକ ଚାଳକ ଓ ସହଯାତ୍ରୀ ହେଲମେଟ ପିନ୍ଧୁ ନ ଥିବା ସମୀକ୍ଷା ବୈଠକରୁ ଜଣାପଡିଥିଲା। ତେଣୁ ଏପ୍ରିଲ ୧ରୁ ହେଲମେଟ ନିୟମ କଡାକଡି ଭାବେ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ଏକମାସ ବ୍ୟାପୀ ହେବାକୁ ଥିବା ଏହି ଅଭିଯାନରେ ଉଭୟ ଚାଳକ ଓ ସହଯାତ୍ରୀ ହେଲମେଟ ପିନ୍ଧିବାକୁ ଯେପରି ଅଭ୍ୟାସରେ ପରିଣତ କରିବେ ସେନେଇ ସଚେତନ କରାଯିବ। ଏହି ଅଭିଯାନରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏନଫୋର୍ସମେଣ୍ଟ ଅଧିକାରୀ ଓ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯିବ। ଏଥିସହିତ ରାଜ୍ୟରେ କିପରି ହେଲମେଟ ନିୟମ କାର୍ଯ୍ୟକାରୀ ହେଉଛି ସେନେଇ ପ୍ରତି ୭ ଦିନରେ ଥରେ ପରିବହନ କମିସନରଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି। ପୁଲିସ ଓ ଆଞ୍ଚଳିକ ପରିବହନ ଅଧିକାରୀ ପୃଥକ ଭାବେ ଏ ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବେ। ଏହାଛଡା ବିଭାଗୀୟ ଷ୍ଟାଣ୍ଡିଂ କମିଟି ନିୟମିତ ବୈଠକ କରିବା ସହ ତତ୍ ସମ୍ପର୍କିତ ରିପୋର୍ଟ ଦାଖଲ କରିବେ। ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ଦିଗରେ ମଧ୍ୟ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ସଡ଼କ ଦୁର୍ଘଟଣା ହାର କମାଇବା ଦିଗରେ ପରିବହନ ବିଭାଗ ପକ୍ଷରୁ ଏଣିକି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବାକୁ ନିଷ୍ପତ୍ତି ହୋଇଛି।