ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତକାଲି ବିଳମ୍ବିତ ରାତ୍ରିରେ ଶୋଇଥିବା ସମୟରେ ରାତ୍ରି ସାଢ଼େ ୨ଟାରେ ହାଇକୋର୍ଟ ରହିତାଦେଶ ପାଇଥିବା ସାଇନାଥ ବସ୍ତି ପରିବାରଙ୍କ ଉପରେ ଆକ୍ରମଣ ହୋଇଛି। ମାନ୍ୟବର ଓଡିଶା ହାଇକୋର୍ଟଙ୍କ ଠାରୁ ରହିତାଦେଶ ପାଇଥିବା ଦୀପିକା ଭାଟ୍ରା, ସ୍ୱାମୀ ସଛବକାନ୍ତ ଭାଟ୍ରା, ତାଙ୍କର ୯ ବର୍ଷର ଝିଅ ଶ୍ରୀୟା ଓ ଶ୍ୱଶୂର ଘରେ ଶୋଇଥିବା ସମୟରେ କେତେକ ଦୁର୍ବୃତ୍ତ ବିଳମ୍ବିତ ରାତ୍ରିରେ ଆସି ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଟେକାପଥର ମାଡ଼ କରିଥିଲେ। ଫଳରେ ଘରଟି ଭାଙ୍ଗିଯାଇଥିଲା। ସେମାନେ ଶୋଇଥିବା ଅବସ୍ଥାରେ ସେମାନଙ୍କ ଉପରେ ଏହି ଭଙ୍ଗା ଆଜବେଷ୍ଟସ, ଟେକା ପଥର ଆଦି ପଡ଼ିଥିଲା। ପ୍ରାଣ ବିକଳରେ ଘରେ ଥିବା ଖଟ ତଳେ ସେମାନେ ଆଶ୍ରୟ ନେଇ ଆତ୍ମରକ୍ଷା କରିଥିଲେ। କିଛି ସମୟ ନୀରବ ପରେ ଆସି ଦେଖିଲା ବେଳକୁ ସ୍କୁଟିରେ ୩ ଜଣ ଯୁବକ ଓ ଗୋଟିଏ ଧଳା କାରରେ ବସିଥିବା କିଛି ଲୋକ ସେମାନଙ୍କୁ ଗାଳିଗୁଲଜ ଓ କରିବା ସହ ଧମକ ଦେଇ ଗାଡ଼କଣ ଆଡ଼କୁ ଚାଲି ଯାଇଥିଲେ। ପୁଲିସ କଣ୍ଟ୍ରୋଲ ରୁମକୁ ଜଣାଇବା ପରେ ଥାନାରେ ଏତଲା ଦେବାକୁ କହିଥିଲେ।
ସୂଚନା ଅନୁସାରେ ଗତ ମାର୍ଚ୍ଚ ୮ ତାରିଖରେ ଏହି ବସ୍ତିବାସିନ୍ଦା ପରିବାର ଗୁଡିକ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ଠାରୁ ରହିତାଦେଶ ପାଇଛନ୍ତି। ଗତ ମାର୍ଚ୍ଚ ୩ରୁ ଏମାନଙ୍କ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିବା ବେଳେ ରହିତାଦେଶ ସତ୍ତ୍ୱେ ଆକ୍ରୋଶମୂଳକ ଭାବେ ଅଦ୍ୟାବଧି ବିଦ୍ୟୁତ୍ ସଂଯୋଗ ହୋଇନାହିିଁ। ବିଦ୍ୟୁତ ସଂଯୋଗ ଦାବିକରି ବସ୍ତି ବାସିନ୍ଦା ଗତକାଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ସାକ୍ଷାତ କରିଥିଲେ। ତାଙ୍କ ନିର୍ଦ୍ଦେଶରେ ବିଡିଏ ସେକ୍ରେଟାରୀଙ୍କ ସହିତ କଥା ହୋଇଥିଲେ। ଏହା ପୂର୍ବରୁ ସେମାନଙ୍କ ଉପରେ ଆକ୍ରମଣ କରି ଘର ଭାଙ୍ଗିବାକୁ ଉଦ୍ୟମ ବିରୁଦ୍ଧରେ ଏହି ପରିବାର ପକ୍ଷରୁ ଗତ ୩ ମାର୍ଚ୍ଚରେ ମଞ୍ଚେଶ୍ୱର ଥାନାରେ ଏତଲା ଦିଆଯାଇଛି। ୫ ମାର୍ଚ୍ଚରେ ଡ଼ିସିପି ଉମାଶାଙ୍କର ଦାସଙ୍କୁ ସାକ୍ଷାତ କରିଥିଲେ। ୮ ମାର୍ଚ୍ଚରେ ହାଇକୋର୍ଟଙ୍କ ଠାରୁ ରହିତାଦେଶ ପାଇ ରହିଛନ୍ତି। କିନ୍ତୁ ଅଦ୍ୟାବଧି ସେମାନଙ୍କ ପାଇଁ କୌଣସି ଆଇନଗତ ପ୍ରକ୍ରିୟା ପାଳନ କରାଯାଇ ନାହିଁ। କୌଣସି ବିକଳ୍ପ ଥଇଥାନ ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। କୌଣସି ପ୍ରକାର ଆର୍ଥିକ ସହାୟତା ପ୍ରଦାନ କରାଯାଇ ନାହିଁ। ଏପରିକି ଏ ବାବଦରେ ସେମାନଙ୍କ ସହ କୌଣସି ଆଲୋଚନା ମଧ୍ୟ କରାଯାଇନାହିଁ।