୧୨ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖ : ଏସିଏସ୍

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟର କରୋନା ଗ୍ରାଫ୍ ଏବେ ପୁଣି ଉପରମୁହାଁ ହେବାରେ ଲାଗିଛି। ଅନ୍ୟ ରାଜ୍ୟରେ କରୋନା ସଂକ୍ରମିତ ବଢୁଥିବାବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇଛି। ଓଡ଼ିଶାରେ ବି ପୁଣି ଦୈନିକ ୧୦୦ ମୁହାଁ ହେଲାଣି। ନୂଆ ସଂକ୍ରମଣ ୨୪ ଘଣ୍ଟାରେ ୮୯ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିରରୁ ଜଣଙ୍କ ଜୀବନ ଯାଇଛି। ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୧୪ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଓ ବାଲେଶ୍ୱରରୁ ୯ ଲେଖାଏଁ ଅଛନ୍ତି। ଫଳରେ ଏବେ ପୁଣି ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି। ୧୨ଟି ରାଜ୍ୟରୁ ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ ଉପରେ ନଜର ରଖିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।
ଏନେଇ ସେ ଓଡ଼ିଶାର ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଏକ ଜରୁରୀ ଚିଠି ଲେଖିଛନ୍ତି। ରାଜ୍ୟର ୨ ଏୟାରପୋର୍ଟ ଯଥା ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ଏୟାରପୋର୍ଟର ନିର୍ଦ୍ଦେଶକ, ପୂର୍ବତଟ ରେଲେୱେ ଏଗଙ୍କୁ ଚିଠି ଲେଖି ଓଡ଼ିଶା ଫେରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ କହିଛନ୍ତି। ସେସବୁ ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ରହିଛି। ଫେରନ୍ତାଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦେବା ସହ ଏୟାରପୋର୍ଟଏବଂ ରେଳଷ୍ଟେସନ୍ ଗୁଡ଼ିକରେ ଥର୍ମାଲ ସ୍କ୍ରିନିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନଙ୍କ କୌଣସି ଲକ୍ଷଣ ଦେଖାଯିବ କିମ୍ବା ଜ୍ୱର ଥିବ, ସେମାନଙ୍କର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ବ୍ୟକ୍ତିଙ୍କ କରୋନା ପଜିଟିଭ୍ ଜଣାପଡ଼ିବେ। ତାଙ୍କୁ ବିଧିବ୍ୟବସ୍ଥା ଅନୁଯାୟୀ ଆଇସୋଲେସନରେ ରଖିବାକୁ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।