ଜେଟ୍ ଏୟାର କର୍ମଚାରୀଙ୍କୁ ମିଳିବ ବକେୟା ଦରମା

ନୂଆଦିଲ୍ଲୀ,ଏଜେନ୍ସି: ଋଣ ଭାରରେ ବୁଡ଼ି ରହିଥିବା ବିମାନ ସେବା କମ୍ପାନୀ ଜେଟ୍ ଏୟାର ୱେଜ୍ ପୁଣି ଆରମ୍ଭ କରିବ ବିମାନ ସେବା। ପୁଣି ଯାତ୍ରୀମାନେ ଜେଟ୍ ବିମାନର ସେବା ନେଇପାରିବେ। ଜେଟ୍ ଏୟାରୱେଜ୍ ନିଜର କର୍ମଚାରୀଙ୍କ ସହିତ ବୁଝାମଣା କରିଛି। ଯାହାଫଳରେ ଜେଟ୍ କର୍ମଚାରୀ ତଥା ୱର୍କମାନଙ୍କୁ ବାକି ଥିବା ୬ ମାସର ଦରମା ପାଖାପାଖି ୧୧୩ କୋଟି ଟଙ୍କା ଆଗୁଆ ପ୍ରଦାନ କରିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଜେଟ୍ କର୍ମଚାରୀ ସଂଘ ୧,୨୦୦ କୋଟି ଟଙ୍କା ଦାବି କରିଥିଲେ। ମାତ୍ର ଦାବିର ମାତ୍ର ୯%ରୁ ୧୪% ପ୍ରଦାନ କରାଯିବାର ସୂଚନା ମିଳିଛି। କର୍ମଚାରୀଙ୍କୁ ୧୧୩ କୋଟି ଟଙ୍କା ବ୍ୟତୀତ କମ୍ପାନୀ ଗୁଡୱିଲ୍ ପେମେଣ୍ଟ୍ କରିବ ବୋଲି ଜଣାପଡ଼ିଛି। କର୍ମଚାରୀଙ୍କୁ ୧୧,୦୦୦ ତଥା ୱର୍କମ୍ୟାନମାନଙ୍କୁ ୧୦,୨୦୦ ଟଙ୍କା ବ୍ୟତୀତ ଫୋନ୍, ଷ୍ଟେସନାରୀ, ଟ୍ରାଭେଲ୍ ପାଇଁ ୧୦,୦୦୦ ଟଙ୍କାର ଫ୍ରି ଟିକେଟ୍ ମଧ୍ୟ ମିଳିବ ବୋଲି ଜଣାପଡ଼ିଛି। ଏହାବ୍ୟତୀତ ଭେଣ୍ଡର୍, ଟିକେଟ୍ ଏଜେଣ୍ଟ୍, ତଥା ସମସ୍ତ ଅପରେସ୍ନାଲ୍ କ୍ରେଡିଟର୍ସମାନଙ୍କୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ଲେମ୍ ମିଳିବ। କମ୍ପାନୀର ୨୨,୦୦୦ କର୍ମଚାରୀ ସାଲାରୀ ତଥା ଅନ୍ୟାନ୍ୟ ଭତ୍ତାକୁ ମିଶାଇ କମ୍ପାନୀ ଉପରେ ୪,୭୦୦ କୋଟି ଟଙ୍କାର ଦାବି ରଖିଥିଲେ। କମ୍ପାନୀ ସହିତ ୩,୬୦୦ କର୍ମଚାରୀ ଯୋଡ଼ି ହୋଇ ରହିଛନ୍ତି।