ରାସ୍ତାକଡ଼ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କୁଆଖିଆ, ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ରସୁଲପୁର ବ୍ଳକ ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତର ଦିଆଲଖଣ୍ଡି ଗାଁ ରାସ୍ତା କଡ଼ରୁ ଆଜି ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବତୀ ହେଉଛନ୍ତି ଭୁବନେଶ୍ୱର ରମାଦେବୀ ମହିଳା ମହାବିଦ୍ୟାଳୟର +୩ ବର୍ଷର ଛାତ୍ରୀ ଛରାଫୁଲ ନାୟକ (୧୯) ବୋଲି ତାଙ୍କ ପରିଚୟ ପତ୍ରରୁ ଜଣାପଡ଼ିଛି। ସେ ମୟୂରଞ୍ଜ ଜିଲ୍ଲାର ଯଶିପୁର ଥାନା ଅନ୍ତର୍ଗତ ବୁନ୍ଦେଇପଶି ଗ୍ରାମର ରମାକାନ୍ତ ନାୟକଙ୍କର ଝିଅ ବୋଲି ମଧ୍ୟ ସୂଚନା ମିଳିଛି।

ଆଜି ସକାଳନ ୯ଟା ବେଳେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ମୃତ ଯୁବତୀଙ୍କ ବସାଇ ଆଣି ଦିଆଲଖଣ୍ଡି ଗାଁ ପାଖ ରାସ୍ତାରେ ପକାଇ ଦେଇ ଚମ୍ପଟ୍ ମାରିଥିଲେ। ଏହି ସମୟରେ ପାଖ ଜମିରେ କାମ କରୁଥିବା କିଛି ଲୋକ ଦୁଇ ଜଣ ଯୁବକ କ’ଣ ଫିଙ୍ଗିଦେଇ ଗଲେ ବୋଲି ଦେଖିବାକୁ ସେଠାକୁ ଆସିଥିଲେ। ସେଠାରେ ସେମାନେ ଏହି ଯୁବତୀଙ୍କ ମୃତଦେହ ଦେଖି ଗାଁକୁ ଖବର ଦେଇଥିଲେ। ଗାଁ ଲୋକେ ସଙ୍ଗେ ସଙ୍ଗେ ପୁଲିସକୁ ଫୋନ୍ କରି ଜଣାଇଥିଲେ। ପୁଲିସ ଆସିବା ପରେ ଯୁବତୀଙ୍କ ପାଖରେ ଥିବା ପରିଚୟ ପତ୍ରରୁ ତାଙ୍କ ପରିଚୟ ମିଳିଥିଲା। ମୃତଦେହ ପାଖରେ ଯୁବତୀଙ୍କ ବ୍ୟାଗ ଓ ଚପଲ ପଡ଼ିଥିଲା। ଅନୁସନ୍ଧାନରୁ ଜଣାପଡ଼ିଲା ଯେ ଝରଫୁଲ ଗତ ୨୪ ତାରିଖରେ ଘରୁ ହଷ୍ଟେଲକୁ ଯାଉଛି ବୋଲି କହି ଆସିଥିଲେ। ତେବେ କଲେଜ ଅଧ୍ୟକ୍ଷାଙ୍କ କହିବା ଅନୁଯାୟୀ ସେ ହଷ୍ଟେଲକୁ ଯାଇନଥିଲେ। ପରେ ଝରାଫୁଲ ଜଣେ ସାଙ୍ଗ ପାଖରେ ରହିବେ ବୋଲି ଘରକୁ ମେସେଜ ପଠାଇଥିଲେ। ଗତକାଲି ସେ ଏକ ବସ୍ରେ ଘରକୁ ଫେରିବାକୁ ଉଠିଥିଲେ। ସେ ସଂପର୍କରେ ମଧ୍ୟ ଘରକୁ ମେସେଜ୍ ପଠାଇଥିଲେ। କିନ୍ତୁ ସନ୍ଧ୍ୟା ସୁଦ୍ଧା ଘରେ ନପହଞ୍ଚିବାରୁ ପରିବାର ଲୋକେ ବ୍ୟସ୍ତ ହୋଇଥିଲେ। ହେଲେ ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଭୁବନେଶ୍ୱରରୁ ବସ୍ରେ ଉଠିଥିବା ଯୁବତୀଙ୍କ ମୃତଦେହ ଦିଆଲଖଣ୍ଡି ଗାଁ ପାଖ ରାସ୍ତାକୁ କିପରି ଆସିଲା ତାହା ସନ୍ଦେହ ସୃଷ୍ଟି କରିଛି। ଦୁଇ ଯୁବକ ଯୁବତୀଙ୍କ ମୃତଦେହକୁ ଆଣିବାର ଫୁଟେଜ ସିସି ଟିଭିରେ କଏଦ ହୋଇଛି। ଗତକାଲି ଯୁବତୀଙ୍କ ଫୋନରୁ ଯେଉଁ ମେସେଜ ତାଙ୍କ ଭାଇଙ୍କ ଫୋନ୍କୁ ପଠାଯାଉଥିଲା ତାହା ସେ ନିଜେ ପଠାଉଥିଲେ ନା ଅନ୍ୟ କେହି ପଠାଉଥିଲେ ତାହା ମଧ୍ୟ ସନ୍ଦେହ ମଧ୍ୟକୁ ଠେଲି ହୋଇ ଯାଇଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପଠାଇ ତଦନ୍ତ ଚଳାଇଛି। ସଂପୃକ୍ତ ଦୁଇ ଜଣ ଯୁବକ କିଏ ତାହା ମଧ୍ୟ ଜଣାପଡ଼ି ନାହିଁ।