ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ(@Naveen_Odisha)ରେ ଅନୁମାଗୀଙ୍କ ସଂଖ୍ୟା ଆଜି ୩ ମିଲିଅନ୍ ଅର୍ଥାତ୍ ୩୦ ଲକ୍ଷ ଛୁଇଁଛି। ଏହି ଅବସରରେ ଏକ ସ୍ୱତନ୍ତ୍ର ଟ୍ୱିଟ୍ କରି ଖୁସି ବ୍ୟକ୍ତକରିଛନ୍ତି ମୁଖ୍ୟମନ୍ତ୍ରୀ।
ସେ ଲେଖିଛନ୍ତି ଯେ ଟ୍ୱିଟରର ଏହି ଡିଜିଟାଲ ଯାତ୍ରାରେ ମୋତେ ଯେଉଁ ସ୍ନେହ ଓ ଭଲପାଇବା ମିଳିଛି ସେଥିପାଇଁ ମୁଁ କୃତଜ୍ଞ। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଜଣାଇ ଦେଉଛୁ ଯେ ବିଜେଡି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୨୦୧୫ ସେପ୍ଟେମ୍ବର ମାସରେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ ସବୁଠୁ ଅଧିକ ଟ୍ୱିଟର ଅନୁଗାମୀ ହାତେଇଥିବା ଦେଶର ୧୦ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି। ନିକଟରେ ହୋଇଥିବା ଏବିପି-ସି ଭୋଟର ସର୍ଭେ ନବୀନ ପଟ୍ଟନାୟକଙ୍କୁ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲା। ଏହା ପୂର୍ବରୁ ମଧ୍ୟ ଶ୍ରୀ ପଟ୍ଟନାୟକ ବିଭିନ୍ନ ଜାତୀୟ ଅନୁଷ୍ଠାନ ତରଫରୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଏବଂ ଶ୍ରେଷ୍ଠ ପ୍ରଶାସକ ସମ୍ମାନ ହାତେଇ ସାରିଛନ୍ତି। ବର୍ତ୍ତମାନ ସେ ଭାରତର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ସବୁଠୁ ଲମ୍ବା ସମୟ ଧରି ପଦବୀ ସମ୍ଭାଳି ରେକର୍ଡ ମଧ୍ୟ କରିଛନ୍ତି।