ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୨୭୦ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇଯାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଏହା ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଆଜି ଆଉ ୨୭୦ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୩,୩୦,୩୨୧ରେ ପହଞ୍ଚିଛି।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରରୁ ୩୭ ଜଣ, ଅନୁଗୁଳରୁ ୨୮ ଜଣ, ବରଗଡ଼ରୁ ୨୩ ଜଣ, ପୁରୀରୁ ୨୦ ଜଣ, ଝାରସୁଗୁଡ଼ାରୁ ୧୭ ଜଣ, ସୁନ୍ଦରଗଡ଼ରୁ ୧୪ ଜଣ, ଗଜପତି, ଯାଜପୁର, କନ୍ଧମାଳ ଓ ଖୋର୍ଦ୍ଧାରୁ ୧୦ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ଆଜିର ସକାଳ ରିପୋର୍ଟ ଅନୁସାରେ ରାଜ୍ୟରେ ଆଜି ସୁଦ୍ଧା ୩,୩୩,୭୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧,୪୪୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ବେଳେ ୧,୯୦୨ ଜଣଙ୍କ ମୃତ୍ୟୁ ହୋଇଛି।