୭୨ ଘଣ୍ଟା ଥରେଇବ ଜାଡ଼, ଆହୁରି ୪ ଡିଗ୍ରୀ ଖସିିବ ପାରଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସମୟାନୁକ୍ରମେ ରାଜ୍ୟରେ ଶୀତ କମିବ, ପାରଦ ଉପରକୁ ଉଠିବ। ହେଲେ ଆସନ୍ତା ୨ ଦିନ ରାଜ୍ୟ ସାରା ଜାଡ଼ ଅନୁଭୂତ ହେବ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପାରଦ ୨ରୁ ୩ ଡିଗ୍ରୀ କମିବାକୁ ଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ପ୍ରାୟ ୪ରୁ ୫ ଡିଗ୍ରୀ ଯାଏ ହ୍ରାସ ପାଇବ। ଫଳରେ ପୁଣି ଥରେ ରାଜ୍ୟରେ ଶୀତ କଲବଲ କରିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଥିବାବେଳେ ୨ ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଶୀତ ଫେରିବ ବୋଲି ପ୍ରକାଶ ପାଇଛି।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୩ ଦିନ ଅର୍ଥାତ୍ ୭୨ ଘଣ୍ଟା ରାଜ୍ୟରେ ଶୀତର ପରିମାଣ ଅଧିକ ରହିବ। ଏହି ସମୟରେ କିଛି ସ୍ଥାନରେ ତାପମାତ୍ରା ୫ ଡିଗ୍ରୀ ତଳକୁ ମଧ୍ୟ ଆସିପାରେ। ଖାଲି ଶୀତ ନୁହେଁ, କୁହୁଡ଼ି ମଧ୍ୟ ଏହି ମଧ୍ୟରେ ବିଭିନ୍ନ ଜିଲ୍ଲାରେ ଯାତାୟାତରେ ବାଧା ଉପୁଯାଇବ। କୁହୁଡ଼ି ପାଇଁ ପାଣିପାଗ ବିଭାଗ ରାଜ୍ୟର ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବାବେଳେ ବାକି ଜିଲ୍ଲାଗୁଡ଼ିକରେ ସମ୍ୟକ କୁହୁଡ଼ି ନଜରକୁ ଆସିବ।

ବୁଧବାର ତାପମାତ୍ରା ଅପରିବର୍ତ୍ତିତ ରହିଥିଲା। ପାଗ ଶୁଖିଲା ରହିବା ସହ ଖରାଟିଆ ରହିଛି। ମାଲକାନାଗିରିରେ ସର୍ବୋଚ୍ଚ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ୧୧.୫ ଡିଗ୍ରୀ ରେକର୍ଡ କରାଯାଇଛି। ଏହାବ୍ୟତୀତ ଅନ୍ୟ ସ୍ଥାନଗୁଡ଼ିକରେ ତାପମାତ୍ରା ସ୍ୱାଭାବିକ ରହିଥିବାବେଳେ ଅଧିକାଂଶ ସ୍ଥାନରେ ଅପରିବର୍ତ୍ତିତ ରହିଥିବା ପାଣିପାଗ ବିଭାଗ ଦ୍ୱାରା ପ୍ରଦତ୍ତ ତଥ୍ୟରୁ ହସ୍ତଗତ ହୋଇଛି।