ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁହେବ ପାସ୍-ଫେଲ୍ ବ୍ୟବସ୍ଥା

ଦୁର୍ବଳ ପିଲାଙ୍କ ପାଇଁ ୨ଘଣ୍ଟା ଅଧିକ ପାଠ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ଦୁର୍ବଳ ପିଲାଙ୍କ ଲାଗି ସବୁ ଶ୍ରେଣୀରେ ଦୈନିକ ୨ଘଣ୍ଟା ଅତିରିକ୍ତ ଶିକ୍ଷାଦାନ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ରହିଛି। ତେବେ ଏନେଇ ଜିଲ୍ଲାୱାରୀ ସମୀକ୍ଷା ବୈଠକ ପ୍ରକ୍ରିୟା ଶେଷ ହେବା ପରେ ଏହା ଲାଗୁ କରାଯିବ। ପିଲାଙ୍କ ଉପରେ ଚାପ ନପକାଇବା ପାଇଁ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍-ଫେଲ୍ ବ୍ୟବସ୍ଥା ଉଚ୍ଛେଦ ହୋଇଥିଲେ ହେଁ ରାଜ୍ୟରେ ଶିକ୍ଷାର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏହି ବ୍ୟବସ୍ଥା ଉଚ୍ଛେଦ ହେବା ସହ ପୁଣି ଏହା ପ୍ରଚଳନ ହେବ ବୋଲି ଜଣାପଡ଼ିଛି।

ଚଳିତବର୍ଷ ଠାରୁ କେବଳ ଷଷ୍ଠ ଏବଂ ଅଷ୍ଟମ ଶ୍ରେଣୀ ପାସଫେଲ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ଆସନ୍ତା ଶିକ୍ଷାବର୍ଷ ଠାରୁ ଏହା ପ୍ରଥମ ଶ୍ରେଣୀରୁ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି।

ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନ ପିଲାଙ୍କ ସଂଖ୍ୟା ୫୯ଲକ୍ଷ ୭୨ହଜାର ୮୭୦ ଥିବା ବେଳେ ଏଥିରୁ ଛାତ୍ରଙ୍କ ସଂଖ୍ୟା ୩୦ଲକ୍ଷ ୮୩ହଜାର ୩୩ ଏବଂ ଛାତ୍ରୀଙ୍କ ସଂଖ୍ୟା ୨୮ଲକ୍ଷ ୮୯ହଜାର ୮୩୭ ରହିଛି। ତେବେ ଅଷ୍ଟମ ପାସ୍ କରିଥିବା ପିଲାଙ୍କ ମଧ୍ୟରୁ ୭୪ପ୍ରତିଶତ ପିଲା ନବମରେ ୬୦ପ୍ରତିଶତରୁ କମ୍ ମାର୍କ ରଖୁଛନ୍ତି ଏବଂ ୪୦ପ୍ରତିଶତ ପିଲା ୩୦ପ୍ରତିଶତରୁ କମ୍ ମାର୍କ ରଖୁଛନ୍ତି।

ସେହିପରି ଦଶମରେ ଗ୍ରେଡେସନ୍ ବ୍ୟବସ୍ଥା ଲାଗୁ ହୋଇଥିବାରୁ ଗତ କିଛିବର୍ଷ ହେବ ରାଜ୍ୟରେ ୯୦ପ୍ରତିଶତରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ସଂଖ୍ୟା ହାତଗଣତି ୨/୪ରେ ସୀମିତ ରହିଛି। ପୁଣି ପୂର୍ବପରି ପାସ୍-ଫେଲ୍ ପ୍ରଚଳନ ହେଲେ ପିଲାଙ୍କ ଲାଗି କିଛି ସ୍ୱତନ୍ତ୍ର ବ୍ୟବସ୍ଥା ରହିବ। ପ୍ରତିବର୍ଷ ୪ଟି ପରୀକ୍ଷା ହେବ।

ବିଶେଷକରି ୪୦ପ୍ରତିଶତରୁ କମ୍ ମାର୍କ ପିଲାଙ୍କୁ ସ୍କୁଲରେ ଦୈନିକ ୨ଘଣ୍ଟା ଅତିରିକ୍ତ ଶିକ୍ଷାଦାନ ଲାଗି ବ୍ୟବସ୍ଥା କରାଯିବ। ଏହାବ୍ୟତୀତ ୩ୟଶ୍ରେଣୀରୁ ପିଲାଙ୍କ ଲାଗି ଗଣିତ, ଓଡ଼ିଆ ଏବଂ ଇଂରାଜୀ ବିଷୟକୁ ଗୁରୁତ୍ୱ ଦିଆଯିବ। ସମସ୍ୟାକୁ ଗୁରୁତ୍ୱ ଦେଇ ୪ର୍ଥ ଶ୍ରେଣୀ ପରୀକ୍ଷାରେ ପିଲାମାନେ କିପରି ନାମ ଏବଂ ଅଭିଭାବକଙ୍କ ନାମ ସ୍ପଷ୍ଟ ଭାବେ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ପରୀକ୍ଷାଖାତାରେ ଲେଖିବେ ସେଥିପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ।

ରାଜ୍ୟରେ ପ୍ରତିବର୍ଷ ମାଟ୍ରିକ୍ ପରୀକ୍ଷା ଦେଇଥିବା ପିଲାଙ୍କସଂଖ୍ୟାରୁ ଯେପରି ୩୫ପ୍ରତିଶତରୁ ଅଧିକ ପରୀକ୍ଷାର୍ଥୀ ୯୦ପ୍ରତିଶତରୁ ଅଧିକ ମାର୍କ ରଖିବେ ସେ ଦିଗରେ ସରକାର ଗୁରୁତ୍ୱ ଦେବେ।

ନବମରେ ୩୦ପ୍ରତିଶତରୁ କମ୍ ମାର୍କ ରଖିଥିବା ପିଲାଙ୍କୁ ଉତ୍ତୀର୍ଣ୍ଣ କରାଯିବ ନାହିଁ। ୩୦%ରୁ ୫୦ପ୍ରତିଶତ ପିଲାଙ୍କ ଲାଗି ଦଶମଶ୍ରେଣୀରେ ଅଧିକ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ହୋଇଛି। ତେବେ ଏହି ବ୍ୟବସ୍ଥାକୁ ଏଣିକି ଅଭିଭାବକ ପରିଚାଳନା କମିଟି ଯାଞ୍ଚ କରିବ ବୋଲି ଜଣାପଡ଼ିଛି।