ରାଜ୍ୟ ସମ୍ପତ୍ତିକୁ ଟାଟା କମ୍ପାନୀ ହାତରେ ଟେକିଦେବା ଉଦ୍ୟମକୁ ପ୍ରଦୀପ ମାଝୀଙ୍କ ବିରୋଧ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି ସେସୁ, ସାଉଥକୋ ଓ ୱେସ୍କୋ ଭଳି ସଂସ୍ଥାକୁ ଟାଟା କମ୍ପାନୀ ସମୂହକୁ ବିକ୍ରୀ କରି ମୁନାଫା ଉଠାଇଛନ୍ତି। ଯାହା ରାଜ୍ୟବାସୀଙ୍କ ସ୍ୱାର୍ଥ ବିରୋଧୀ ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି।

ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ ଏହା ପୁଞ୍ଜିବାଦରେ ମଧ୍ୟ ଗୋଟିଏ ଏକଛତ୍ରବାଦ। ବିଦ୍ୟୁତ୍ ନିୟମ ୨୦୦୩ର ଧାରା ୨୦ ଅନୁଯାୟୀ ଏହା ସ୍ପଷ୍ଟ ଉଲ୍ଲେଖ ଅଛି ଯେ ଜଣେ ବିଡର ଗୋଟିଏ ସଂସ୍ଥାକୁ ଦୁଇଟି କମ୍ପାନୀକୁ ବିକ୍ରି କରିପାରିବ ନାହିଁ। ସେହିଭଳି ବିଦ୍ୟୁତ୍ ନିୟମ ଧାରା ୬୦ରେ ସ୍ପଷ୍ଟ ଉଲ୍ଲେଖ ଅଛି, ଯେ କୌଣସି ଗୋଟିଏ ଘରୋଇ ସଂସ୍ଥା ସମସ୍ତ ବିଦ୍ୟୁତ୍ ବଜାରକୁ ନିୟନ୍ତ୍ରଣ କରିପାରିବ ନାହିଁ। ତେଣୁ ଏଥିରେ ବେନିୟମ ଭାବେ ଗଫଲତି ହୋଇଥିବାର ସ୍ପଷ୍ଟ ଅନୁମେୟ ହେଉଛି। ଏହି ବିକ୍ରି ସମୟରେ ପୂର୍ବରୁ କର୍ମଚାରୀମାନେ ଥିବା ୧୦ ପ୍ରତିଶତ ଅଂଶଧନକୁ ମଧ୍ୟ ବେନିୟମ ଭାବରେ ରଦ୍ଧ କରାଯାଇଛି।

ଏହି କାର୍ଯ୍ୟରେ ରାଜ୍ୟ ସରକାର ମଧ୍ୟ ଓଇଆରସିକୁ ପ୍ରୋତ୍ସାହନ ଦେଇ ଘରୋଇ କମ୍ପାନୀମାନଙ୍କ ପାଇଁ ପଥ ପରିଷ୍କାର କରିଛନ୍ତି। ଏପରିକି ବର୍ତ୍ତମାନ ଟାଟା କମ୍ପାନୀ ଲାଇସେନ୍ସ ଦେଇ ସରକାର ଓ ଓଇଆରସି ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରିଛନ୍ତି। ଏହି ବେନିୟମ କାର୍ଯ୍ୟକୁ ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଶ୍ରୀ ମାଝୀ ଦାବି କରିଛନ୍ତି।

ଦେଶ ବର୍ତ୍ତମାନ କୋଭିଡ ଜନିତ ସମସ୍ୟା ମଧ୍ୟରେ ଗତିକରୁଥିବାବେଳେ ନିୟାମକ ଖୁବ୍ ତରବରିଆ ଭାବେ ଘରୋଇ କମ୍ପାନୀକୁ ଆହ୍ୱାନ କରିବା ଅତ୍ୟନ୍ତ କ୍ଷୋଭର ବିଷୟ। ବିଭିନ୍ନ ଶିଳ୍ପସଂସ୍ଥା ଉପରେ ଥିବା ବକେୟାକୁ ଖୁବଶୀଘ୍ର ଆଦାୟ କରାଯାଉ ଏବଂ ରାଜ୍ୟବାସୀଙ୍କୁ ସୁହାଇଲା ଭଳି ଏକ ନୂତନ ନିୟମ ପ୍ରଣୟନ କରିବାକୁ ଶ୍ରୀ ମାଝୀ କହିଛନ୍ତି।