ରାଜ୍ୟରେ ଆଉ ୧୯୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ୨ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ୨୨ଟି ଜିଲ୍ଲା ଓ ଷ୍ଟେପୁଲରୁ ୧୯୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୧୫ ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୮୩ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୬୯୦କୁ ବୃଦ୍ଧି ପାଇଛି। ଅନ୍ୟପଟେ କରୋନାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ୧୯୮ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ୩୪ ଜଣ ଅନୁଗୁଳ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ସେହିପରି କରୋନାରେ ମୃତ୍ୟୁ ଘଟିଥିବା ୨ ଜଣଙ୍କ ମଧ୍ୟରେ ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ ହଜାର ୨୪୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୨୬ ହଜାର ୫୦୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ରାଜ୍ୟରେ ମୋଟ ୧୮୮୭ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି।