ବିଜେପି ନେତାଙ୍କ ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଲେ ପ୍ରତାପ ଜେନା

ଭୁବନେଶ୍ୱର,ଏନ୍ଏନ୍ଏସ୍: କଟକ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କ ନିର୍ମମ ହତ୍ୟାକାଣ୍ଡ ଘଟଣାକୁ ନିନ୍ଦା କରିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି ଯେ, ଗତକାଲି ଯେଉଁଭଳି ଭାବରେ ଅମାନୁଷିକ ଭାବେ ତାଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଛି ଆମେ ତାହାକୁ ନିନ୍ଦା କରୁଛୁ। ଏହି ଘଟଣାରେ ମୁଁ ଦୁଃଖିତ ଏବଂ ମର୍ମାହତ। ଏହି ଘଟଣାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ। ରାଜନୀତିରେ ହିଂସାକୁ ପ୍ରଶୟ ଦିଆଯିବା ଉଚିତ୍ ନୁହେଁ। ଆମେ କେବେବି ହିଂସାକୁ ପ୍ରଶୟ ଦେଇନାହୁଁ। ଯେଉଁମାନେ ଏଭଳି ଅମାନୁଷିକ କାଣ୍ଡ ଘଟାଇଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍।

ଯେଉଁମାନେ ହତ୍ୟାକାରୀ ସେମାନଙ୍କୁ ଗିରଫ କରାଇବା ପାଇଁ ମୁଁ ବ୍ୟକ୍ତିଗତ ଭାବରେ ଦୃଷ୍ଟି ଦେବି। ଏଭଳି ହତ୍ୟାକାଣ୍ଡ କାହିଁକି ଘଟିଲା ତାହା ତଦନ୍ତ କରିବା ପରେ ଜଣା ପଡ଼ିବ। ଏହି ଘଟଣାର ଯାହା ସତ୍ୟାସତ୍ୟ ରହିଛି ତାହା ନିଶ୍ଚିତ ପଦାକୁ ଆସିବ ବୋଲି କହିଛନ୍ତି।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ କଟକ ସାଲେପୁରରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ରାଜନୈତିକ କାରଣରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।