ରାଜ୍ୟର ପ୍ରଥମ ଜିଲ୍ଲା ସଂଗ୍ରହାଳୟ ଲୋକାର୍ପିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ପ୍ରଥମ ଜିଲ୍ଲା ସଂଗ୍ରହାଳୟ ଭାବରେ ବୌଦ୍ଧ ରାଜତନ୍ତ୍ର ସମୟର ଶହେ ବର୍ଷର କଚେରୀ କୋଠାକୁ ଭିଡିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତିି। ଏହି ସଂଗ୍ରହାଳୟରେ ଐତିହାସିକ ବୌଦ୍ଧ ଜିଲ୍ଲାର ଲୋକକଳା, ସଂସ୍କୃତି, ପ୍ରାଚୀନ ପରମ୍ପରା, କାରିଗରୀ, କୀର୍ତ୍ତିରାଜି ଓ ବିକାଶର ଝଲକ ଦେଖିବାକୁ ମିଳିବ। ଶହେବର୍ଷର ଏହି ଐତିହାସିକ କୋଠାରେ ସ୍ଥାପିତ ସଂଗ୍ରହାଳୟ ନୂଆପିଢ଼ି ଓ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଲାର ଲୁଣିବାହାଲ, ଖୁଣ୍ଟବନ୍ଧ ଓ କଣ୍ଟାମାଳଠାରେ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ତିନୋଟି ଦୁଗ୍ଧ ଶିତଳୀକରଣ କେନ୍ଦ୍ର, ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ମିଳନସ୍ଥଳ ବୌଦ୍ଧ ମହାନଦୀ ବ୍ରିଜଛକର ଉନ୍ନତିକରଣ ସହିତ ଏହାକୁ ବିଜୁପଟ୍ଟନାୟକ ଛକ ନାମରେ ନାମିତ, ୬ କୋଟି ବ୍ୟୟରେ ଏନଏସି ଛକରୁ ଜାମୁଛକ ଓ ୩ କୋଟି ବ୍ୟୟରେ ଟ୍ରେଜେରୀ ଛକରୁ ସର୍କିଟହାଉସ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ, ୫.୬୯ ଲକ୍ଷ ବ୍ୟୟରେ ମନମୁଣ୍ଡା ବାଇପାସ ରାସ୍ତା, ୨.୯୫ ଲକ୍ଷ ବ୍ୟୟରେ ମଡେଲ ଡିଗ୍ରୀ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ, ବିଜୁସେତୁ ଯୋଜନାରେ ୩.୨୮ ଲକ୍ଷ, ୨.୮୪ ଲକ୍ଷ ବ୍ୟୟରେ ବଘିଆପଡା ସମାପାଜୁ ଏବଂ ପାଣିଶାଳ ରାସ୍ତାରେ ଦୁଇଟି ସେତୁ, ତାଳଗିରି ଜୁରାମୁଣ୍ଡା ରାସ୍ତାରେ ୧.୫୪ ଲକ୍ଷ ବ୍ୟୟରେ ନିର୍ମିତ ପୋଲ, ୧.୮୦ ଲକ୍ଷ ବ୍ୟୟରେ ଭାଲିଆଗୋରା ଠାକୁରମୁଣ୍ଡା ପୋଲ, ବୌଦ୍ଧ ସହରର ମାତଙ୍ଗେଶ୍ୱର ମନ୍ଦିର ପାଶ୍ୱର୍ରେ ୩୫ ଲକ୍ଷ ବ୍ୟୟରେ ସୌନ୍ଦର୍ଯ୍ୟକରଣ, ୧.୫୦ ଲକ୍ଷ ବ୍ୟୟରେ ଖଜୁରୀପଡ଼ାଠାରେ ଯାତ୍ରୀନିବାସ, ମର୍ଜାକୁଦ ପାଇଁ ୧୧ କେଭି ବିଦ୍ୟୁତକରଣ ପ୍ରକଳ୍ପ ଆଦି କାର୍ଯ୍ୟର ଉଦଘାଟନ କରିଥିଲେ। ସେହିପରି ବୌଦ୍ଧ ସହରରେ ୨.୫୦ ଲକ୍ଷ ବ୍ୟୟରେ ଏକ ମୃତ୍ତିକା ପରୀକ୍ଷଣ କେନ୍ଦ୍ର, ଜଗନ୍ନାଥ ମନ୍ଦିର ନିକଟରେ ପର୍ଯ୍ୟଟକମାନଙ୍କ ପାଇଁ କମ୍ୟୁନିଟି ସେଣ୍ଟର, ସମାପାଜୁ ପାଣିଶାଳ ରାସ୍ତାର ଉନ୍ନତିକରଣ ପାଇଁ ୭.୯୦ ଲକ୍ଷ, ବିଳାସପୁର ଦପଲା ରାସ୍ତାର ଉନ୍ନତିକରଣ ପାଇଁ ୩.୩୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ।

୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଥିବା ବିକାଶର ଧାରା ସମ୍ପର୍କରେ ଆଲୋକପାତ କରିବା ସହିତ ଐତିହ୍ୟ ସମ୍ପନ୍ନ ଏହି ଜିଲ୍ଲାରେ ଭରି ରହିଥିବା ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବୌଦ୍ଧଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂହ, ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ କଣ୍ଟାମାଳ ବିଧାୟକ ମହୀଧର ରଣା ପ୍ରମୁଖ ଯୋଗଦେଇ କହିଥିଲେ ଯେ, ପ୍ରାଚୀନ ଐତିହ୍ୟ ଓ କୀର୍ତ୍ତିରାଜିରେ ଭରପୁର ବୌଦ୍ଧ ଜିଲ୍ଲାରେ ପର୍ଯ୍ୟଟନର ଅନେକ ସୁଯୋଗ ରହିଛି। ଏହାର ବିକାଶ ସହିତ ଚାଷୀ, ଶ୍ରମଜୀବୀମାନଙ୍କ ବିକାଶ ପାଇଁ ଜାରି ରହିଛି।

ସରକାରୀ ଯୋଜନାର କାର୍ଯ୍ୟକାରିତାକୁ ପ୍ରଶଂସା କରିଥିଲେ। ଏହି ଅବସରରେ ବୌଦ୍ଧ ବିଧାୟକ ଶ୍ରୀ ଅମାତ ବୌଦ୍ଧର ଐତିହ୍ୟ ସମ୍ପନ୍ନ କୋଠାରେ ସ୍ଥାପିତ ହୋଇଥିବା ରାଜ୍ୟର ପ୍ରଥମ ଜିଲ୍ଲା ସଂଗ୍ରହାଳୟକୁ ସରକାରୀ ସଂଗ୍ରହାଳୟର ମାନ୍ୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଏନ୍ସି ଜ୍ୟୋତିରଞ୍ଜନ ନାଏକ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବୌଦ୍ଧ ଗେହ୍ଲାମା କଳାନିକେତନର କଳାକାରମାନଙ୍କ ଦ୍ୱାରା ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।