ଭୁବନେଶ୍ୱର, ଏନ୍ଏନ୍ଏସ୍: ଆସନ୍ତା ୨୭ ତାରିଖରୁ ଖୋଲିବ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୬ ତାରିଖରୁ ସାଧାରଣଲୋକଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ ବୋଲି ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏଥିପାଇଁ ଶ୍ରଦ୍ଧାଳୁଙ୍କୁ କୋଭିଡ ଗାଇଡଲାଇନ ମାନିବାକୁ ପଡିବ। କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବା ପରେ ମନ୍ଦିରକୁ ପ୍ରବେଶ ଅନୁମତି ମିଳିବ। ଚାରି ପାଞ୍ଚ ଦିନ ପୂର୍ବରୁ ହୋଇଥିବା ଟେଷ୍ଟ ରିପୋର୍ଟ ଦେଖାଇବା ଜରୁରୀ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି। ୬ ତାରିଖରୁ ସାଧାରଣ ଲୋକଙ୍କୁ ଦର୍ଶନ ଅନୁମତି ମିଳିବ। ଦୈନିକ ୫ ଶହ ଶ୍ରଦ୍ଧାଳୁ ଦର୍ଶନ କରି ପାରିବେ। ଦର୍ଶନ ବେଳେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ପରବର୍ତ୍ତୀ ବୈଠକ ୨୭ ଓ ୨୮ରେ ହେବ ବୋଲି କୁହାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ବିଏମସି ଅଫିସରେ ବୈଠକରେ ତିନି ନିଯୋଗ ଅଧିକାରୀ, ପୁଲିସ ଅଧିକାରୀ, ମନ୍ଦିର କାର୍ଯ୍ୟାଳୟ ଅଧିକାରୀ, ଉପଜିଲ୍ଲାପାଳ, ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ, ଦେବତ୍ୱର ବିଭାଗର ଅଧିକାରୀଙ୍କ ସହ ଆଲୋଚନା ହୋଇଛି।