ରାଜ୍ୟରେ ୫ ଶହ ତଳକୁ ଖସିଲା କରୋନା ପାରଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ପାରଦ ୫ ଶହ ତଳକୁ ଖସିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି କରୋନା ସଂକ୍ରମିତଙ୍କ ମଧ୍ୟରେ କ୍ୱାରେଣ୍ଟାଇନ ସେଣ୍ଟରର ୨୪୧ ଜଣ ଓ ସ୍ଥାନୀୟ ୧୭୭ ଜଣ ରହିଛନ୍ତି।

ଏହି ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୩୪ ଜଣ ଓ ମୟୂରଭଞ୍ଜରୁ ୩୨ ଜଣ ଆକ୍ରାନ୍ତ ରହିଛନ୍ତି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୧୮ ହଜାର ୭୨୫ ଜଣ ଚିହ୍ନଟ ହୋଇଛନ୍ତି। ସେଥିରୁ ୩ ଲକ୍ଷ ୧୧ ହଜାର ୨୫୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୫,୬୭୭ ଜଣ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।