ଆସନ୍ତାବର୍ଷରୁ ମାତୃଭାଷାରେ ବୈଷୟିକ ଶିକ୍ଷା

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ଶିକ୍ଷାବର୍ଷରୁ ନିଜ ମାତୃଭାଷାରେ ବୈଷୟିକ ଶିକ୍ଷା କରିପାରିବେ ଛାତ୍ରଛାତ୍ରୀ। ଏପରିକି ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଓ ଏନଆଇଟିରେ ମଧ୍ୟ ଛାତ୍ରଛାତ୍ରୀ ନିଜ ଆଞ୍ଚଳିକ ଭାଷାରେ ଶିକ୍ଷା ଲାଭ କରିପାରିବେ। ଏନେଇ ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିୟାଲ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ଏହାସହ ସ୍କୁଲ୍ ଶିକ୍ଷା ବୋର୍ଡର ପାଠ୍ୟକ୍ରମ ଆକଳନ ପରେ ପ୍ରତିଯୋଗିତା ମୂଳକ ପରୀକ୍ଷା ନିମିତ ସିଲାବସ ପାଇଁ ଜାତୀୟ ପରୀକ୍ଷଣ ଏଜେନ୍ସି (ଏନଟିଏ) ସହଯୋଗ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ଅନ୍ୟପଟେ ସମସ୍ତ ଛାତ୍ରବୃତ୍ତି ସୁନିଶ୍ଚିତ କରିବା ପାଇଁ ୟୁଜିସିକୁ ନିର୍ଦେଶ ଦିଆଯାଇଛି। ଏହା ସହ ସଠିକ ସମୟରେ ଫେଲୋସିପ ବିତରଣ କରିବା ସହ ଏନେଇ ଛାତ୍ରଛାତ୍ରୀ ଅସୁବିଧାରେ ପଡ଼ିଲେ ସେମାନଙ୍କ ପାଇଁ ଅଭିଯୋଗ ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରିବାକୁ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ପ୍ରକାଶ ଯେ, ଗତମାସ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୯ଟି ଆଞ୍ଚଳିକ ଭାଷାରେ ୨୦୨୧ଠୁ ଜେଇଇ ମେନ ପରୀକ୍ଷା କରିବାକୁ ଘୋଷଣା କରିଥିଲା ଏନଟିଏ। ଜେଇଇ ଆଡଭାନ୍ସ ଆଞ୍ଚଳିକ ଭାଷାରେ ହେବାକୁ ଥିବା ବେଳେ ଆଇଆଇଟିରେ ଏନେଇ କୌଣସି ନିଷ୍ପତ୍ତି ହୋଇନାହିଁ।