ଆଇଏଫଏସ୍ ଅଭୟକାନ୍ତ ଓ ତାଙ୍କ ପୁଅକୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଦୁର୍ନୀତି ମାମଲାରେ ଆଇଏଫଏସ୍ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି।  ଭିଜିଲାନ୍ସ ପାଠକଙ୍କ ବାସଭବନ ଉପରେ ଚଢଉ କରି ବିପୁଳ ଅର୍ଥ, ସୁନାଗହଣା ଓ ଆୟବର୍ହିଭୂତ ସ୍ଥାବର-ଅସ୍ଥାବର ସଂପତ୍ତି ଜବତ କରିଥିଲା। ପୁଅ ଆକାଶଙ୍କ ନାମରେ ବି ଆର୍ଥିକ ଅନିୟମିତତା ସହ ଠକେଇ ଅଭିଯୋଗ ରହିଥିଲା। ବାପ-ପୁଅଙ୍କ ଗିରଫ ପରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି। ଏହାସହ ସେମାନଙ୍କ ବିରୋଧରେ ବହୁ ବେନାମୀ ସମ୍ପତ୍ତି ସହ ଅନିୟମିତ କାର୍ଯ୍ୟର ଦସ୍ତାବିଜ ମିଳିଛି। ୧୫୦ ଅଫିସରଙ୍କ ମାରାଥନ ଜେରାପରେ ଭିଜିଲାନ୍ସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବର୍ତ୍ତାମାନ ସୁଦ୍ଧା ପ୍ରାୟ ୬୦ଲକ୍ଷ ଟଙ୍କା ମିଳିଛି।

ଏହାସହ ଦାମୀ ଘରୋଇ ସାମଗ୍ରୀ ଓ ୮୦୦ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି। ୨୩ଲକ୍ଷ ଟଙ୍କାର ଅଳଙ୍କାର କ୍ରୟ ନେଇ ଦଲିଲ ମିଳିଛି। ପୁଅ ଆକାଶ ପାଠକଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୯କୋଟି ୪୦ଲକ୍ଷ ଟଙ୍କା ଜମା ରହିଛି। ସେଥିମଧ୍ୟରୁ ୮କୋଟି ୪୦ଲକ୍ଷ ଟଙ୍କା ଭୁବନେଶ୍ୱରରେ ଜମା ହୋଇଛି। ସହିଦନଗର ଓ ନୟାପଲ୍ଲୀରେ ଥିବା ଏଟିଏମ ମାଧ୍ୟମରେ ଟଙ୍କା ଜମା କରାଯାଇଥିବା ସୂଚନା ମିଳିଛି। ପୁଅ ଆକାଶ ପାଠକଙ୍କ ନାମରେ ମର୍ସିଡିଜ, ବିଏମଡବ୍ଲ୍ୟ, ଟାଟା ହ୍ୟାରିୟର ଓ ୩ଟି ମହଙ୍ଗା ବାଇକ ରହିଛି।