କଟକ,ଏନ୍ଏନ୍ଏସ୍: ରାଜ୍ୟର ବହୁ ଚର୍ଚ୍ଚିତ ଆଇଆଇଏଫଏଲ୍ ସୁନା ଲୁଟ୍ ଘଟଣାର ଚେର ଲମ୍ବି ଲମ୍ବି ଚାଲିଛି । ଯେତେ ଖୋଳିଲେ ସେତେ ବାହାରୁଛି। କେଉଁଠି ଶେଷ; ତାହା ଜାଣିପାରୁନାହିଁ ପୁଲିସ। ଲେଡି ବ୍ୟାଙ୍କ୍ ଅଫିସରଙ୍କୁ ଧରିବା ପରେ ପୁଲିସ କାରବାରରେ ସଂପୃକ୍ତ ବଜ୍ରକବାଟି ମନପ୍ପୁରମ୍ ଶାଖା ପରିଚାଳକଙ୍କୁ ଉଠାଇଆଣିଛି। ବୁଧବାର ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ବ୍ୟାଙ୍କ୍ ଶାଖାକୁ ଆଣି ଲୁଟର ତରିକା ବା ଡେମୋ କରାଇଛି। ଅଭିଯୁକ୍ତମାନେ କିଭଳି ଲୁଟ୍ର ବ୍ଲୁପ୍ରିଣ୍ଟ କରିଥିଲେ ସେକଥା ସେମାନେ ସ୍ପଟ୍ ଆକ୍ସନରେ ଦେଖାଇଛନ୍ତି। ଘଟଣା ପଛରେ ଆହୁରି କିଛି ତଥ୍ୟ
ଗତ କାଲି କମିଶନରେଟ ପୁଲିସ ବ୍ୟାଙ୍କର ମହିଳା ଅଧିକାରୀଙ୍କ ସମେତ ୭ ଜଣଙ୍କୁ ଗିରଫ କରିବା ପରେ ଆଜି ଅନ୍ୟ ଜଣେ ଅଭିଯୁକ୍ତ ପୁଲିସ ଜାଲରେ ପଡିଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ବଜ୍ରକବାଟି ରୋଡ ମନପୁରମ ସୁନା ଋଣ ସଂସ୍ଥାର ପରିଚାଳକ ଗଙ୍ଗାମନ୍ଦିରର ପିତାମ୍ବର ସାହୁ । ପୁଲିସ ପିତାମ୍ବରକୁ ଅଟକ ରଖି ପଚରା ଉଚରା କରିବା ସହ ତା’ ନିକଟରୁ ପ୍ରାୟ ୧୦ କେଜିରୁ ଅଧିକ ସୁନା ଜବତ କରିଛି । ଏହି ଲୁଟ୍ ର୍ୟାକେଟର ଅନ୍ୟମାନଙ୍କ ସଂପର୍କରେ ଖୋଳତାଡ ଜାରି ରହିôଛି ଓ ଖୁବ୍ ଶୀଘ୍ର ଏଥିରେ ବହୁ ଅଧିକ ଅଭିଯୁକ୍ତ ଧରାପଡିବେ ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଗତ କାଲି ଗିରଫ ୭ ଅଭିଯୁକ୍ତମାନଙ୍କ ମଧ୍ୟରୁ ପୁଲିସ ମାଷ୍ଟରମାଇଣ୍ଡ ତଥା ବ୍ୟାଙ୍କର ସୁନା ମୂଲ୍ୟାୟନକାରୀ ଲାଲା ଅମୃତ ସାଗର ରାୟ (୩୫), କିଶୋରନଗର ଥାନା ଅନ୍ତର୍ଗତ ବିଲହାଟ ବିଶ୍ୱନାଥପୁରର ପ୍ରକାଶ କୁମାର ସାହୁ(୨୮), ପବିତ୍ର କୁମାର ବେହେରା(୩୪), ରାଜ କିଶୋର ସାହୁ(୩୭) ଓ ଜଗତପୁର ଥାନା ଅନ୍ତର୍ଗତ ବହୁଗ୍ରାମର ସନ୍ତୋଷ ଭୋଇ ଓରଫ ବାପି (୩୫)କୁ ୩ ଦିନିଆ ରିମାଣ୍ଡରେ ଆଣି ଆଇଆଇଏଫଏଲ ନୟାସଡକ ବ୍ରାଂଚକୁ ନେଇ ଲୁଟର ତରିକା ବା ଡେମୋ କରାଇଥିଲା । ଏଥି ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଭିଡିଓ ରେକର୍ଡିଂ ମଧ୍ୟ କରାଇଛି । ଲୁଟ ସମୟରେ ସିସିଟିଭି କାର୍ଯ୍ୟ କାର୍ଯ୍ୟ କରୁନଥିବାରୁ ଏହି ଭଡିଓ ଚିତ୍ର ମାମଲାର ଟ୍ରାଏଲ ସମୟରେ ସହାୟତା କରିବ ବୋଲି ସେ କହିଛନ୍ତି ।