ପରଲୋକରେ ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀ

ଭୁବନେଶ୍ଵର,ଏନ୍ଏନ୍ଏସ୍: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମ ପତ୍ନୀ ସୁଶୀଳା ଦେବୀଙ୍କ ଆଜି ପରଲୋକ ଘଟିଛି। ଗତକାଲି ରାତିରେ ସୁଶିଳା ଦେବୀଙ୍କ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ସୂଚନାଯୋଗ୍ୟ, ଗତ ନଭେମ୍ବର ୨ରେ ରାଜ୍ୟପାଳ ଏବଂ ତାଙ୍କ ସ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହିତ ରାଜ୍ୟପାଳ ଏବଂ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସୁଶୀଳା ଦେବୀ ଜଣେ ଧର୍ମପରାୟଣ, ପରୋପକାରୀ ମହିଳା ଥିଲେ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରିବା ସହ ଭଗବାନ ତାଙ୍କ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି କହିଛନ୍ତି।

ସୁଶିଳା ଦେବୀଙ୍କ ପାର୍ଥିବ ଶରୀର ରାଜଭବନ ପରିସରକୁ ଅଣାଯିବ। ଏଠାରେ ବିଶିଷ୍ଟ ବ୍ୟକ୍ତିମାନେ ଶେଷ ଦର୍ଶନ କରିବା ପରେ ଅନ୍ତିମ ସଂସ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାର ନିଆଯିବ ବୋଲି ସୂଚନା ମିଳିଛି।