ଶିଶୁଙ୍କ ପାଇଁ ‘ବାତ୍ସଲ୍ୟ’ ଅଭିଯାନର ଶୁଭାରମ୍ଭ

ଆଦ୍ୟ ଶୈଶବର ବିକାଶକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ : ମହିଳା ଓ ଶିଶୁବିକାଶ ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ତିନିବର୍ଷରୁ କମ୍ ବୟସର ଶଶିୁମାନଙ୍କ ବିକଶିତ ଶୈଶବକୁ ଆନୁଷ୍ଠାନିକ ରୂପରେଖ ପ୍ରଦାନ କରିବା ଲକ୍ଷ୍ୟରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ଆଜିଠାରୁ ‘ବାତ୍ସଲ୍ୟ’ ଅଭିଯାନର ଶୁଭାରମ୍ଭ କରାଯାଇଛି । ଅଙ୍ଗନବାଡ଼ିର ସେବା ସମୂହରେ ତିନି ବର୍ଷ ବୟସରୁ ଛୋଟ ଶିଶୁଙ୍କ ପାଇଁ ମୁଖ୍ୟତଃ ପରିପୂରକ ପୁଷ୍ଟିସାଧନ, ଟୀକାକରଣ, ସ୍ୱାସ୍ଥ୍ୟ ପରୀକ୍ଷା ଆଦି କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ଏହି ତିନିବର୍ଷ ଶିଶୁର ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ଏବଂ ଏହି ବୟସରେ ଅବହେଳା କଲେ ତା’ର ପ୍ରଭାବ ଶିଶୁର ସାରା ଜୀବନର ବୃଦ୍ଧି ଓ ବିକାଶରେ ଅନ୍ତରାୟ ହୋଇଥାଏ । ତେଣୁ ପିତାମାତାଙ୍କ ଜରିଆରେ ଦାୟିତ୍ୱର ସହିତ ଆଦ୍ୟ ଶୈଶବର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ‘ବାତ୍ସଲ୍ୟ’ ଉଦ୍ୟମ ଅଭିପ୍ରେତ । ‘ବାତ୍ସଲ୍ୟ’ ଅଭିଯାନରେ ପୁଷ୍ଟି ଓ ସ୍ୱାସ୍ଥ୍ୟ ସେବା ସହିତ ଶିଶୁର ମସ୍ତିଷ୍କର ବିକାଶ ସହିତ ସଂପର୍କ ସମ୍ବନ୍ଧରେ ସୂଚନା ଦିଆଯିବ । ଏଥିପାଇଁ ସାମାଜିକ ଓ ବ୍ୟବହାରିକ ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ ସୂଚନା ସାମଗ୍ରୀ ଯେପରିକି ପିକୋ ପ୍ରୋଜେକଫର ମାଧ୍ୟମରେ ଆଞ୍ଚଳିକ ଭାଷାରେ ଭିଡ଼ିଓ, ପୋଷ୍ଟର, ଟିକି ମାଉସୀର ହାସ୍ୟଚିତ୍ର ଆଦିର ବ୍ୟବହାର କରାଯିବ, ଯାହା ଦ୍ୱାରା ଶିଶୁମାନେ ଅଧିକ ଆକର୍ଷିତ ହେବେ ।

ଏହି ଅବସରରେ ଡିଜିଟାଲ୍ ମାଧ୍ୟମରେ ଶିଶୁମାନଙ୍କ ପାଇଁ କୁନି କାଲେଣ୍ଡର, ମାତୃଭାଷାଭିତ୍ତିକ ୧୧ଟି ପୋଷ୍ଟର, ଓଡ଼ିଆ ଭାଷାରେ ପ୍ୟରେଣ୍ଟସ୍ ପ୍ଲସ୍ ମଡ୍ୟୁଲ୍, ସୁଖଦ ଲାଳନପାଳନ ସଂପର୍କିତ ଫ୍ଲିପ୍ ବୁକ୍, ପ୍ରାକଶୈଶବ ଉଦ୍ଦୀପନା ସଂପର୍କିତ ଭିଡ଼ିଓ ଚିତ୍ର ସମ୍ବଳିତ ‘ବାତ୍ସଲ୍ୟ’ ପ୍ୟାକେଜ୍ ମନ୍ତ୍ରୀ ସାହୁ ଉନ୍ମୋଚନ କରିଥିଲେ । ୧୦ଟି ଜନଜାତି ଭାଷାରେ ପ୍ରସ୍ତୁତ ‘ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡର ପ୍ରଦର୍ଶିତ ହୋଇଥିଲା । ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ଏକ ଉତ୍ସବରେ ‘ବାତ୍ସଲ୍ୟ’ ଅଭିଯାନର ଲୋକାର୍ପଣ କରି ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ କହିଲେ, ‘ପ୍ରତ୍ୟେକ ଶିଶୁର ବିକଶିତ ଏବଂ ପରିପୂର୍ଣ୍ଣ ଶୈଶବ ପାଇଁ ପିତାମାତାଙ୍କଠାରୁ ଆରମ୍ଭ କରି ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ନିକଟରୁ ପର୍ଯ୍ୟାପ୍ତ ବାତ୍ସଲ୍ୟମମତା ପାଇବା ଆବଶ୍ୟକ । ଶିଶୁର ଲାଳନପାଳନରେ ପିତାମାତା ଏବଂ ପରିବାରର ଯେଉଁ ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି ତାକୁ ସଠିକ୍ ଢଙ୍ଗରେ ରୂପାନ୍ତରିତ କରିବା ଦିଗରେ ‘ବାତ୍ସଲ୍ୟ’ ଏକ ଅଭିନବ ଏବଂ ସୁଦୂରପ୍ରସାରୀ ଅଭିଯାନ । ଏହି ଅଭିଯାନ ସଫଳତାର ସହ କାର୍ଯ୍ୟକାରୀ ହେଲେ ଆଦ୍ୟ ଶୈଶବର ବିକାଶକୁ ତ୍ୱରାନ୍ୱିତ କରି ଶିଶୁର ସାରା ଜୀବନ ପାଇଁ ଏକ ସୁଦୃଢ଼ ମୂଳଦୁଆ ପକାଇବାରେ ଓଡ଼ିଶା ସାରା ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ପରିଗଣିତ ହେବ ।’

ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରି ବିଭାଗୀୟ ସଚିବ ଅନୁ ଗର୍ଗ ହାଭାର୍ଡ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ଅର୍ଥନୀତିଜ୍ଞ ଜେମସ୍ ଜେ ହେକମ୍ୟାନଙ୍କ ଉକ୍ତି ଉଲ୍ଲେଖ କରି କହିଥିଲେ, ଆଦ୍ୟ ଶୈଶବର ଅଭିବୃଦ୍ଧି ନିମନ୍ତେ ଆମେ ଯେତେଶୀଘ୍ର ଶିଶୁର ସାମଗ୍ରିକ ବିକାଶରେ ବିନିଯୋଗ କରିବା ତାହାର ସୁଫଳ ସେତେଶୀଘ୍ର ପାଇପାରିବା । କାରଣ ପ୍ରଥମ ଦୁଇବର୍ଷରେ ହିଁ ଶିଶୁର ମସ୍ତିଷ୍କର ବିକାଶ ସବୁଠାରୁ ଅଧିକା ହୋଇଥାଏ । ତେଣୁ ପୁଷ୍ଟି ଓ ସ୍ୱାସ୍ଥ୍ୟସେବା ସହିତ ତା’ର ମସ୍ତିଷ୍କର ବିକାଶ ପାଇଁ ଉଦ୍ଦୀପନା ବିଶେଷ ଗୁରୁତ୍ୱ ବହନ କରିଥାଏ । ପ୍ରତି ମାସର ୧୯ ତାରିଖରେ ଅଙ୍ଗନବାଡ଼ି ଶିଶୁଙ୍କ ପାଇଁ ଅଙ୍କୁର ଦିବସ ପାଳନ, ମାତୃଭାଷାଭିତ୍ତିକ ପ୍ରାକଶିକ୍ଷା କାର୍ଯ୍ୟକ୍ରମ ବେଶ୍ ସଫଳ ହୋଇଥିବାବେଳେ ‘ବାତ୍ସଲ୍ୟ’ ଅଭିଯାନର ଦୀର୍ଘସ୍ଥାୟୀ ଏବଂ ଫଳପ୍ରଦ ପ୍ରଭାବ ଅନୁଭୂତ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ନିର୍ଦ୍ଦେଶକ, ସମନ୍ୱିତ ଶିଶୁ ବିକାଶ ଏବଂ ସମାଜ କଲ୍ୟାଣ ଅରବିନ୍ଦ ଅଗ୍ରୱାଲ ସ୍ୱାଗତ ଜଣାଇବା ସହ ‘ବାତ୍ସଲ୍ୟ’ ଅଭିଯାନର କାର୍ଯ୍ୟକାରିତା ସଂପର୍କରେ ସବିଶେଷ ସୂଚନା ଦେଇଥିଲେ । ୟୁନିସେଫ୍ କଣ୍ଟ୍ରି ରିପ୍ରେଜେଣ୍ଟେଟିଭ୍ ଡ. ୟାସ୍ମିନ୍ ଅଲ୍ଲୀ ହକ୍ କହିଥିଲେ, ପ୍ରାକ୍ ଶୈଶବରେ ଯଦି ଶିଶୁ ପାଇଁ ଟଙ୍କାଟିଏ ବିନିଯୋଗ କରାଯାଏ, ତେବେ ତାହା ପରେ ୧୩ ଟଙ୍କା ଭାବେ ଫେରିପାଇବା ସମ୍ଭବ ହୁଏ ଏବଂ ଶିଶୁ ବଡ଼ ହେବା ସହ ତା’ର କ୍ଷମତା ୨୫ ପ୍ରତିଶତ ବୃଦ୍ଧିପାଏ। ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ଓଡ଼ିଶା ସରକାର ଆପଣାଇଥିବା ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ, ପୁଷ୍ଟିସାଧନ ପ୍ରବକ୍ତା ଟିକି ମାଉସୀ ଜରିଆରେ ସଚେତନତା ସୃଷ୍ଟି ଆଦି ଉଦ୍ୟମକୁ ସେ ଉଚ୍ଚପ୍ରଶଂସା କରିଥିଲେ । ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଅଖିଳ ବିହାରୀ ଓତା କହିଥିଲେ ନିଜ ନିଜ ମାତୃଭାଷାରେ ପିଲାମାନେ ପ୍ରାକ୍ ବିଦ୍ୟାଳୟ ଶିକ୍ଷାଲାଭ କରିବା ଦ୍ୱାରା ତାହା ସେମାନଙ୍କ ସମନ୍ୱିତ ବିକାଶ ପ୍ରକ୍ରିୟାକୁ ସୁଗମ କରିପାରିଛି ।

ଏଥିରେ ପିତାମାତାଙ୍କୁ ମଧ୍ୟ ସଂପୃକ୍ତ କରାଯାଇପାରିଛି । ୧୦ଟି ଜନଜାତି ଭାଷାରେ ‘ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡରର ଅନୁବାଦ କରାଯାଇଛି ଏବଂ ଓଡ଼ିଶାରେ ପ୍ରଚଳିତ ଅବଶିଷ୍ଟ ଜନଜାତି ଭାଷାଗୁଡ଼ିକରେ ମଧ୍ୟ ଅନୁବାଦ ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ । ବର୍ଣ୍ଣାଡ୍ ଭାନଲି ଫାଉଣ୍ଡେସନର କଣ୍ଟ୍ରି ରିପ୍ରେଜେଣ୍ଟେଟିଭ୍ ମିସ୍ ରୁସଦା ମାଜିଦ୍ ଏବଂ ନୂଆଦିଲ୍ଲୀସ୍ଥିତ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ପ୍ରାକ୍ ଶୈଶବ ବିକାଶ ଓ ଗବେଷଣା କେନ୍ଦ୍ରର ଚେୟାର ପ୍ରଫେସର ଡ. ଅନୁଭା ରାଜେଶ ଓଡ଼ିଶାର ୭୨୦୦ ଅଙ୍ଗନବାଡ଼ି କେନ୍ଦ୍ରରେ ମାତୃଭାଷାଭିତ୍ତିକ ପ୍ରାକ୍ ଶୈଶବ ଶିକ୍ଷା କିଭଳି ଫଳପ୍ରଦ ହୋଇଛି ତାହା ସଂପର୍କରେ ହୋଇଥିବା ଅଧ୍ୟୟନ ରିପୋର୍ଟକୁ ଉପସ୍ଥାପନ କରିଥିଲେ । ହାଟଡିହିର ସିଡିପିଓ ସରସ୍ୱତୀ ସେଠୀ କୋଭିଡ୍-୧୯ ସମୟରେ ‘ଘରେ ଘରେ ଅରୁଣିମା’ର ସଫଳତା ସଂପର୍କରେ ବର୍ଣ୍ଣନା କରିଥିଲେ ।