ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ : ମୁଖ୍ୟମନ୍ତ୍ରୀ

ଲୋକଙ୍କ ସମସ୍ୟା ବୁଝ, ଆବଶ୍ୟକତା ମୋତେ ଜଣାଅ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପଞ୍ଚାୟତକୁ ଯାଅ, ନିୟମିତ ଭାବେ ଲୋକଙ୍କ ସମସ୍ୟା ବୁଝ। ଆଉ ଲୋକଙ୍କ ଆବଶ୍ୟକତା ମୋତେ ଜଣାଅ। ଦଳୀୟ ପର୍ଯ୍ୟବେକ୍ଷକ ଓ ନେତାଙ୍କୁ ଆଜି ଏଭଳି ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ ଓ ନେତାମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ପରାମର୍ଶ ଦେଇଛନ୍ତି। ସେହିପରି ଉପରୋକ୍ତ ଦୁଇ ନିର୍ବାଚନମଣ୍ଡଳୀରେ ବିପୁଳ ଭୋଟ୍ ବ୍ୟବଧାନରେ ବିଜେଡିକୁ ବିଜୟୀ ଆଶୀର୍ବାଦ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଉପନିର୍ବାଚନରେ ବିଜୁ ଜନତା ଦଳର ବିଜୟ ହେଉଛି ଜନସାଧାରଙ୍କ ବିଜୟ। କୋଭିଡ ସମୟରେ ପ୍ରାଚାର କାର୍ଯ୍ୟ ଏତେ ସହଜ ନଥିଲା।  କୋଭିଡ ନିୟମ ମାନି ପ୍ରଚାର କରି ଦଳ ପାଇଁ ବିଜୟ ଆଣିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଉଭୟ ନିର୍ବାଚନମଣ୍ଡଳୀରେ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ ଓ ନେତାମାନେ ମଧ୍ୟ ଯେଭଳି ଦକ୍ଷତାର ସହ ପ୍ରଚାର କାର୍ଯ୍ୟ କରିଥିଲେ ସେଥିପାଇଁ ସେମାନଙ୍କୁ ଧନ୍ୟବାଦ। ସେ କହିଥିଲେ ଯେ ସେ କଥା ନୁହେଁ ସବୁବେଳେ କାମରେ ବିଶ୍ୱାସ ରଖନ୍ତି। ନିର୍ବାଚନ ବେଳେ ଦଳ ପକ୍ଷରୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତିକୁ ପାଳନ କରାଯିବ। ଜନସାଧାରଣଙ୍କ ସହ ପ୍ରତ୍ୟେକ୍ଷ ସମ୍ପର୍କକୁ ବଜାୟ ରଖିବା ପାଇଁ ବିଭିନ୍ନ ପଞ୍ଚାୟତ ଓ ୱାର୍ଡ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ ଓ ନେତାମାନେ ନିଜ ନିଜ ଅଞ୍ଚଳକୁ ଯାଇ ଲୋକଙ୍କୁ ତାଙ୍କ ତରଫରୁ ଧନ୍ୟବାଦ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।  ଏହି କାର୍ଯ୍ୟକ୍ରମରେ ନବ ନିର୍ବାଚିତ ବିଧାୟକଙ୍କ ସମେତ ବିଜେଡିର ବରିଷ୍ଠ ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ପ୍ରତାପ ଦେବ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଦଳର ଅନ୍ୟାନ୍ୟ ବହୁ କର୍ମକର୍ତ୍ତା ଓ କର୍ମୀମାନେ ଉପସ୍ଥିତ ଥିଲେ।