ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା : ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିବାକୁ ଡିଜିଙ୍କୁ ନିର୍ଦ୍ଦେଶ

କଟକ,ଏନ୍ଏନ୍ଏସ୍: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଏହାର ସିବିଆଇ ତଦନ୍ତ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଟିମ୍ ମାଧ୍ୟମରେ ଏହାର ତଦନ୍ତ ପାଇଁ କରାଯାଇଥିବା ଆବେଦନ ମାମଲାରେ ଆଜି ହାଇକାର୍ଟ ଶୁଣାଣିବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ମାମଲାରେ ହାଇକୋର୍ଟ ଡିଜିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ନୋଟିସ୍ ଜାରି କରିଛନ୍ତି। ଗତ ୧୬ ତାରିଖରେ ହାଇକୋର୍ଟ ଏହି ମାମଲାରେ ପୁଲିସ୍  କାର୍ଯ୍ୟାନୁଷ୍ଠାନ ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ରାଜ୍ୟବାସୀ ଓଡ଼ିଶା ପୁଲିସ୍ ଉପରୁ ଆସ୍ତା ହରାଇଲେଣି। ହାଇକୋର୍ଟ ଏହି ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ସହ ଏହାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୧୮ ତାରିଖକୁ ସମୟ ଧାର୍ଯ୍ୟ କରିଛନ୍ତି।

ସୂଚନା ଥାଉକି ଉପରୋକ୍ତ ପ୍ରସଙ୍ଗରେ ଆବେଦନକାରୀ ଗୌତମ ସିଦ୍ଦିକି ଓ ଭାରତୀୟ ବିକାଶ ପରିଷଦ ପକ୍ଷରୁ ପୃଥକ ପୃଥକ ମାମଲା ରୁଜୁ କରାଯାଇଛି। ଉଭୟ ମାମଲାରେ କୁହାଯାଇଛି ଯେ ଉକ୍ତ ଘଟଣା ଘଟିବାର ୧୮ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ୍ ଖାଲି କେବଳ ଏକ ମାମଲା ରୁଜୁ କରି ବସିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ହେଉଛି ପୁଲିସ୍ର କର୍ତ୍ତବ୍ୟ। ମାତ୍ର ଦୀର୍ଘଦିନ ପରେ ମଧ୍ୟ ପୁଲିସ୍ ହାତ ବାନ୍ଧି ବସିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ କର୍ମଚାରୀ ଓ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀ ଜଡ଼ିତ ଥିବା ଅଭିଯୋଗ ହୋଇଛି। ବିଶେଷକରି ଏହି ଘଟଣାରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ସମ୍ପୃକ୍ତ ଥିବାରୁ ପୁଲିସ୍ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିପାରିନାହିିଁ। ଏଣୁ ଏପରି ଘଟଣାର ସିବିଆଇ ଦ୍ୱାରା ତଦନ୍ତ କରିବା ଜରୁରୀ ହୋଇପଡ଼ିଛି। ସିବିଆଇ ତଦନ୍ତ କଲେ ପ୍ରକୃତ ଦୋଷୀମାନଙ୍କୁ ଧରିପାରନ୍ତା।

ଏପରି ଘଟଣା ପୂର୍ବରୁ ଓଡ଼ିଶାରେ ଅନେକ ଉଦାହରଣ ଭଳି ଘଟଣା ଘଟିସାରିଛି ଯେଉଁଥିରେ ପୁଲିସ୍ କାହାରିକୁ ଗିରଫ କରିପାରିନାହିଁ। ନ୍ୟାସ୍ନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋର ସର୍ଭେ ମୁତାବକ ନାବାଳିକା ଗଣଦୁଷ୍କର୍ମ କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତରରେ ଏକ ନମ୍ବର।  ଏଣୁ ଏଭଳି ସମ୍ବେଦନଶୀଳ ଘଟଣାରେ ସିବିଆଇ ତଦନ୍ତ ହେଲେ ପ୍ରକୃତ ସତ୍ୟ ଲୋକ ଲୋଚନକୁ ଆସିପାରିବ ବୋଲି ଆବେଦନରେ ଦର୍ଶାଯାଇଛି। ଏଥିସହିତ ପୀଡ଼ିତାଙ୍କ ନିମନ୍ତେ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ପ୍ରାର୍ଥନା ହୋଇଛି।  ଏହି ମାମଲାରେ ସିବିଆଇ, କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ସଚିବ, ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଟିର ଅଧ୍ୟକ୍ଷ, ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ, ପୁଲିସ୍ କମିଶନର, ଭୁବନେଶ୍ୱର ଡିସିପି ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି।