ଭୁବନେଶ୍ୱର,ଏନ୍ଏନ୍ଏସ୍: ତିର୍ତ୍ତୋଲ ଅଞ୍ଚଳର ଜନୈକ ନାବାଳିକାକୁ କଟକର ଚାଉଳିଆଗଞ୍ଜ ଥାନା ଅଧୀନସ୍ଥ ଗତିରାଉତପାଟଣାର ଏକ ପରିତ୍ୟକ୍ତ ଘରେ ୨୨ ଦିନ କାଳ ବନ୍ଦି ରଖି ଗଣଦୁଷ୍କର୍ମ କରିବା ଘଟଣାରେ ଆଜି କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ରାଜ୍ୟରେ ଆଇନ୍ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ନାରୀମାନେ ଅସୁରକ୍ଷିତ ହୋଇପଡ଼ିଥିବା କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ପୁଲିସ ପାଖରେ ନିର୍ଦ୍ଦିଷ୍ଟ ତଥ୍ୟ ଭିତ୍ତିକ ଅଭିଯୋଗ ହେବାର ୪୮ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଅପରାଧୀଙ୍କୁ ପୁଲିସ ଧରିପାରୁନାହିଁ।
ଦୀର୍ଘ ୨୦ ବର୍ଷର ଶାସନ କାଳରେ ଅଧିକାଂଶ ଅପରାଧିକ ଘଟଣାରେ ସରକାରୀ ଦଳର କର୍ମୀ ସମ୍ପୃକ୍ତ ଥିବାରୁ ତଦନ୍ତକାରୀ ସଂସ୍ଥା ଅପରାଧୀଙ୍କ ପ୍ରତି କୋହଳ ମନୋଭାବ ରଖିଥିବାରୁ ଅପରାଧୀମାନେ ଅପରାଧ ଘଟାଇ ଖସିବାରେ ସଫଳ ହେଉଛନ୍ତି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି। ଏଥିସହିତ ପିପିଲିର ବେବିନା, ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ଓ ଆୟୁଷ ଡାକ୍ତରାଣୀ ମାଧବୀଲତା ଘଟଣାକୁ ରାଜ୍ୟ ସରକାର ଯେଭଳି ଭାବେ ଚାପି ଦେଇଛନ୍ତି ତାହା ସମସ୍ତ ରାଜ୍ୟବାସୀ ଅବଗତ ଥିବା ଶ୍ରୀ ମିଶ୍ର କହିଛନ୍ତି। ବିଶେଷକରି କୁନ୍ଦୁଲି ଘଟଣାରେ ସରକାରଙ୍କର ତଦନ୍ତ ଏବଂ ମାତ୍ରାଧିକ ଚାପ ସହି ନପାରି କୁନ୍ଦୁଲି ପୀଡିତା ଆତ୍ମହତ୍ୟା କରିଥିଲେ।
ତେଣୁ ତିର୍ତ୍ତୋଲ ପୀଡିତାଙ୍କ କ୍ଷେତ୍ରରେ କୁନ୍ଦୁଲି ଘଟଣାର ଯେଭଳି ପୁନରାବୃତ୍ତି ନହେଉ ସେଥିପାଇଁ ରାଜ୍ୟ ସରକାର ଉଚ୍ଚସ୍ତରୀୟ କ୍ରାଇମ୍ବ୍ରାଞ୍ଚ ତଦନ୍ତ କରାଇବା ସହିତ ପରିବାରକୁ ସୁରକ୍ଷା, ପୀଡ଼ିତା ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ତା’ର ସମସ୍ତ ଭରଣପୋଷଣ ଖର୍ଚ୍ଚ, ମାଗଣା ଶିକ୍ଷା, ତା ପରିବାରକୁ ସରକାରଙ୍କର ଜନମଙ୍ଗଳକାରୀ ଯୋଜନାରେ ସାମିଲ କରି ସାମାଜିକ ସୁରକ୍ଷା ପ୍ରଦାନ ଏବଂ ୨୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର, ଜିନେ୍ ଦାସ, ନାରାୟଣ ଜେନା, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।