ବଲାଙ୍ଗିରରେ କୋଭିଡ ପୀଡ଼ିତାଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର, କାର୍ଯ୍ୟାନୁଷ୍ଠାନ ପାଇଁ ବିରୋଧୀଙ୍କ ଦାବି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କରୋନା ମହାମାରୀ ସମୟରେ ରାଜ୍ୟରେ ବହୁ ଅଘଟଣ ଘଟିଛି । ଆଇନଶୃଙ୍ଖଳା, ଶାସନ ବୋଲି କିଛି ନାହିଁ । ବଲାଙ୍ଗିରରେ ଜଣେ କୋଭିଡ ପୀଡ଼ିତାଙ୍କୁ ଦାୟିତ୍ୱରେ ଥିବା ଆୟୁର୍ବେଦିକ ଡାକ୍ତର ଅସଦାଚରଣ କରିଛନ୍ତି ଏବଂ ସମ୍ପୂର୍ଣ୍ଣ ପ୍ରସଙ୍ଗକୁ ଚପାଇଦେବାକୁ ଅଦୃଶ୍ୟ ଚାପକୁ ନେଇ ଗୃହରେ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସମାନ ପ୍ରସଙ୍ଗରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଶୂନ୍ୟକାଳରେ ପ୍ରସଙ୍ଗଟିକୁ ଉତ୍ଥାପନ କରି ଶ୍ରୀ ମିଶ୍ର କହିଲେ ଯେ ବଲାଙ୍ଗିରରେ ଗତ ୪ ତାରିଖରେ ଜଣେ ଝିଅ କରୋନା ପଜିଟିଭ ହୋଇ କୋଭିଡ୍ କେୟାର ସେଣ୍ଟରକୁ ଚିକିତ୍ସିତ ହେବାକୁ ଆସିଥିଲେ । ସେଣ୍ଟର ଦାୟିତ୍ୱରେ ଥିବା ଜଣେ ଆୟୁର୍ବେଦିକ ଡାକ୍ତର ରାତିବେଳା ସେ ଝିଅ ପାଖକୁ ଯାଇ ତାକୁ ଦୁର୍ବ୍ୟବହାର କରିଥିଲେ । ଝିଅ ପାଟି କରିବାରୁ ତା’ପରିବାର ଏବଂ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଆସି ସମ୍ପୃକ୍ତ ଡାକ୍ତରଙ୍କୁ ମାଡ଼ ମାରିଥିଲେ । ପୁଲିସ ଘଟଣାସ୍ଥଳରୁ ଡାକ୍ତରଙ୍କୁ ଉଦ୍ଧାର କରିବା ସହ ତାଙ୍କୁ ମେଡିକାଲକୁ ନେଇଥିଲା । ତେବେ ସମ୍ପୃକ୍ତ ଡାକ୍ତର ଜଣକ ନିଜ କ୍ଷମତା ତଥା ପ୍ରଶାସନିକ ଚାପ ପ୍ରୟୋଗ କରି ମାମଲାଟିକୁ ରଫାଦଫା କରିବାକୁ ଚେଷ୍ଟା କରିବା ସହ ଏଥିରେ ସଫଳ ହୋଇଥିବା ନରସିଂହ ଅଭିଯୋଗ କରିଛନ୍ତି । ଏପରିକି ଆମ ମଧ୍ୟରେ ମାମଲା ରଫାଦଫା ହୋଇଯାଇଥିବା କହୁଛି ସେ ଝିଅ । ଘଟଣାଟି ଗୁରୁତର ହେବାରୁ ବଲାଙ୍ଗିର ସିଡିଏମ୍‌ଓ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଅଘଟଣ ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ଏ ପର୍ଯ୍ୟନ୍ତ କିଛି କାର୍ଯ୍ୟାନୁଷ୍ଠାନ କାହିଁକି ନିଆଗଲା ନାହିଁ ବୋଲି ନରସିଂହ ପ୍ରଶ୍ନ କରିଛନ୍ତି ।

ଯଦି ଡାକ୍ତରଙ୍କ ଭୁଲ୍ ନାହିଁ ତେବେ ପ୍ରିଭେଣ୍ଟିଭ ଡିଟେନ୍‌ସନ ଆଇନ ଅନୁଯାୟୀ ଡାକ୍ତରଙ୍କୁ ମାଡ଼ ମାରିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କ’ଣ ପାଇଁ ନିଆଯାଇ ନାହିଁ । ତେଣୁ ଏହା ପଛରେ ଡାକ୍ତରଙ୍କ ଭୂମିକା ସ୍ପଷ୍ଟ ଜଣାପଡ଼ୁଛି । ବହୁ ବଡ଼ ବଡ଼ ଲୋକଙ୍କ ଏହା ପଛରେ ଚାପ କାମ କରୁଛି । ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନିଆଯାଇ ତାଙ୍କୁ ବଦଳି କରିଦିଆଗଲା । ତେଣୁ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କରିଥିଲେ । ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଶୂନ୍ୟକାଳରେ ସମାନ ପ୍ରସଙ୍ଗ ଉଠାଇ ନିରପେକ୍ଷ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।