ନନ୍ଦନକାନନ ଖୋଲିବା ପାଇଁ ଗାଇଡ୍‌ଲାଇନ୍‌, ଦୈନିକ ଯାଇପାରିବେ ୧୫୦୦ ପର୍ଯ୍ୟଟକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍ : ରାଜ୍ୟରେ ଚିଡ଼ିଆଖାନା ଖୋଲିବା ନେଇ ଜାରି ହୋଇଛି ଗାଇଡ୍‌ଲାଇନ୍ । ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଏହି ଗାଇଡ୍‌ଲାଇନ୍ ଜାରି କରାଯାଇଛି । ଏହି ସମୟରେ କୋଭିଡ୍ କଟକଣାକୁ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି ।

ଗାଇଡ୍‌ଲାଇନ୍ ଅନୁସାରେ, ନନ୍ଦନକାନନକୁ ଦିନକ ଭିତରେ ସର୍ବାଧିକ ୧୫୦୦ ଦର୍ଶକ ଯାଇପାରିବେ । ବଡ଼ ପ୍ରାଣୀ ଉଦ୍ୟାନକୁ ସର୍ବାଧିକ ୧୫୦୦ ପର୍ଯ୍ୟଟକ, ଛୋଟ ପ୍ରାଣୀ ଉଦ୍ୟାନକୁ ୭୫୦ ଓ ସବୁଠୁ ଛୋଟ ବା ହରିଣ ପାର୍କକୁ ସର୍ବାଧିକ ୩୦୦ ପର୍ଯ୍ୟଟକ ଯାଇପାରିବେ । ପର୍ଯ୍ୟଟକଙ୍କୁ ଅନ୍‌ଲାଇନ୍‌ରେ ଟିକେଟ ମିଳିବ । ବିନା ମାସ୍କରେ ପର୍ଯ୍ୟଟକଙ୍କୁ ଚିଡ଼ିଆଖାନା ଭିତରକୁ ପ୍ରବେଶ ଅନୁମତି ମିଳିବନି । ଜ୍ୱର, ଥଣ୍ଡା, କାଶ ଥିଲେ ଭିତରକୁ ଛଡ଼ାଯିବନି । ପର୍ଯ୍ୟଟକ ଚିଡ଼ିଆଖାନାରେ ପରିସରରେ ସାମାଜିକ ଦୂରତା ବଜାୟ ରଖିବେ । ବ୍ୟାରିକେଡ୍ ସମେତ ଅନ୍ୟ ସରଫେସ୍‌କୁ ଛୁଇଁବା ଲାଗି ବାରଣ କରାଯାଇଛି ।

ସେହିପରି ଚିଡ଼ିଆଖାନା ପରିସରରେ ଗୁଟ୍‌ଖା ଚୋବାଇବା ଏବଂ ଛେପ ପକାଇବାକୁ ନିଷିଦ୍ଧ କରାଯାଇଥିବାବେଳେ ଧୂମପାନ କରିବାକୁ ମନା କରାଯାଇଛି । ଏହାସହ ପ୍ରବେଶ ଦ୍ୱାରରେ ଦେହର ତାପମାତ୍ରା ମଧ୍ୟ ମପାଯିବ । ବରିଷ୍ଠ ନାଗରିକ ଓ ଶିଶୁଙ୍କୁ ଚିଡ଼ିଆଖାନା ନବୁଲିବା ପାଇଁ ପରାମର୍ଶ ଦିଆଯାଇଛି । ପୂର୍ବରୁ ଅକ୍ଟୋବର ୪ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବ ବୋଲି ଘୋଷଣା ହୋଇଥିଲା । ଏହାସହ ୪ ତାରିଖରେ ଚନ୍ଦକା ଅଭୟାରଣ୍ୟ ମଧ୍ୟ ଖୋଲିବ ବୋଲି ସୂଚନା ରହିଛି । ଏହି ସମୟରେ କୋଭିଡ଼୍ ଗାଇଡ୍‌ଲାଇନ୍ କଡ଼ାକଡ଼ି ପାଳନ କରାଯିବ ।