ଭୁବନେଶ୍ୱର,ଏନ୍ଏନ୍ଏସ୍ : କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜନ ସଚେତନତା ଅଭିଯାନ ଆରମ୍ଭ କରିବ ବିଜେଡି । ଏନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ, ରାଜ୍ୟସ୍ତରୀୟ ସମସ୍ତ କର୍ମକର୍ତ୍ତା, ସମସ୍ତ ସଂଗଠନ ମୁଖ୍ୟ, ନଗର ଏବଂ ବ୍ଲକ୍ ସଭାପତି, ଜିଲ୍ଲା ପରିଷଦର ସଭାପତି ଓ ଉପସଭାପତିଙ୍କୁ ଚିଠି ଲେଖିଛନ୍ତି ।
ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବିଜେଡି ୨୦ ବର୍ଷ ଧରି ଓଡ଼ିଶାବାସୀଙ୍କ ସୁଖଦୁଃଖର ସାଥୀ ହୋଇ ଆସିଛି । ଆଜିର କରୋନା ମହାମାରୀ ପରିସ୍ଥିତି ରାଜ୍ୟବାସୀଙ୍କୁ ଏକ ଅଭାବନୀୟ ସ୍ଥିତିରେ ପହଞ୍ଚାଇଛି । ଏଣୁ ବିଜେଡି ଚଳିତବର୍ଷ କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ଗାନ୍ଧୀ ଜୟନ୍ତୀରୁ ମାସେବ୍ୟାପୀ ସାରା ରାଜ୍ୟରେ ଜନସଚେତନ ଅଭିଯାନ ଆୟୋଜନ କରୁଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଟିକା ପହଞ୍ଚିବା ପର୍ଯ୍ୟନ୍ତ ମାସ୍କ ହିଁ ହେଉଛି ଆମର ସୁରକ୍ଷା କବଚ । ଏଣୁ ଦଳର ପ୍ରତ୍ୟେକ ବିଧାୟକ ପଞ୍ଚାୟତସ୍ତରରେ ଗ୍ରାମବାସୀଙ୍କୁ ମାସ୍କ ବଣ୍ଟନ କରି ଏହାର ଉପଯୁକ୍ତ ବ୍ୟବହାର ସମ୍ପର୍କରେ ସଚେତନ କରିବେ । କୋଭିଡ୍ ନିୟମ ପାଳନ କରିବା, ଟେଷ୍ଟିଂରେ ସହଯୋଗ କରି ଉପଯୁକ୍ତ ସମୟରେ ନିଜର ଚିକିତ୍ସା କରାଇ ନେବା, ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହିତ ସମ୍ମାନ ପ୍ରଦର୍ଶନ କରିବା ଏବଂ ପ୍ଲାଜମା ଦାନ କରିବା ପାଇଁ ସମସ୍ତେ ବହୁ ସଂଖ୍ୟାରେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ଏହାବ୍ୟତୀତ ଗୁରୁତର କୋଭିଡ୍ ରୋଗୀଙ୍କ ପାଇଁ ପ୍ଲାଜ୍ମା, ଜୀବନ ବିନ୍ଦୁ ଅଭିଯାନରେ ରକ୍ତଦାନ ଏବଂ ମୃତକଙ୍କ ଶବ ସତ୍କାର ପାଇଁ ‘ଓଡ଼ିଶା-ମୋ ପରିବାର’ ନିଷ୍ଠାପର ଉଦ୍ୟମ ଆରମ୍ଭ କରିଛି । ବିଧାୟକମାନେ ନିଜ ନିର୍ବାଚନମଣ୍ଡଳୀରେ ‘ଓଡ଼ିଶା-ମୋ ପରିବାର’ ସହିତ ସାମିଲ୍ ହୋଇ ଏସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି । ବିଜେଡିର ଜଣେ ଜଣେ ଉତ୍ସର୍ଗୀକୃତ କର୍ମୀ ଭାବେ ଓଡ଼ିଶାବାସୀଙ୍କ ପାଇଁ ଉତ୍ତରଦାୟିତ୍ୱ ନିର୍ବାହ କରିବା, କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟବାସୀଙ୍କୁ ସଚେତନ କରିବା, କରୋନା ଯୁଦ୍ଧରେ ପ୍ରତ୍ୟେକ ଜଣେ ଜଣେ ଯୋଦ୍ଧା ସାଜିବା, କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ କରୋନା ବିରୋଧରେ ସଂଗ୍ରାମ ଜାରି ରଖିବା, ଓଡ଼ିଶାକୁ ଜିତାଇବାକୁ ବିଜେଡି ସଭାପତି ଦଳୀୟ ନେତାଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି, କୋଭିଡ୍ ସଂକ୍ରମଣରୁ ଲୋକଙ୍କୁ ସୁସ୍ଥ କରିବାରେ ଏବଂ ସର୍ବନିମ୍ନ ମୃତ୍ୟୁହାର ସହିତ ସର୍ବାଧିକ ଲୋକଙ୍କୁ ଆରୋଗ୍ୟ କରିବାରେ ଆମେ ଦେଶରେ ଏକ ଅଗ୍ରଣୀ ରାଜ୍ୟ । ଆମ ସରକାର କୋଭିଡ୍ ଚିକିତ୍ସା ପାଇଁ ସାରା ରାଜ୍ୟରେ ୭୭ଟି ସ୍ୱତନ୍ତ୍ର କୋଭିଡ୍ ଚିକିତ୍ସାଳୟ ପ୍ରତିଷ୍ଠା କରିଛି । ଟେଷ୍ଟିଂ ଠାରୁ ଆରମ୍ଭ କରି ପ୍ଲାଜ୍ମା ଥେରାପି ମାଧ୍ୟମରେ ଚିକିତ୍ସା ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ଆମ ସରକାର ବହନ କରୁଛନ୍ତି । ସରପଞ୍ଚମାନଙ୍କୁ କୋଭିଡ୍ ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ସେମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିବାରେ ଆମେ ପ୍ରଥମ ଏବଂ ଏକମାତ୍ର ରାଜ୍ୟ । ସମୂହ ଟେଷ୍ଟିଂ, ଚିହ୍ନଟ ଏବଂ ଉପଯୁକ୍ତ ସମୟରେ ଚିକିତ୍ସା ଯୋଗାଇ ଆମେ ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଛୁ । ଅନ୍ୟ ଅଧିକ ସଂକ୍ରମିତ ଜିଲ୍ଲାରେ ଏହି ପଦ୍ଧତି ଅବଲମ୍ବନ କରି କୋଭିଡ୍ ସ୍ଥିତିରେ ସୁଧାର ଆଣିବା ପାଇଁ ଉଦ୍ୟମ ଜାରି ରଖିଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।