ନୂଆଦିଲ୍ଲୀ, ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିରେ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଦେଶରେ ବ୍ୟାପକ ଉର୍ଜା ସୁରକ୍ଷା ସ୍ଥାପତ୍ୟର ବିକାଶ ପାଇଁ ଆମର ପ୍ରେଚେଷ୍ଟାକୁ ଆଗେଇ ନେବ ଏବଂ ଏ ଦିଗରେ ବଡ଼ ଭୂମିକା ଗ୍ରହଣ କରିବ ବୋଲି ସୋମବାର ଗ୍ଲୋବାଲ କାଉଣ୍ଟର ଟେରୋରିଜିମ୍ କାଉନସିଲ ପକ୍ଷରୁ ଆୟୋଜିତ ‘ଜିସିଟିସି ଊର୍ଜା ସୁରକ୍ଷା ସମ୍ମିଳନୀ-୨୦୨୦’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସମ୍ମିଳନୀରେ ଉପସ୍ଥିତ ବିଭିନ୍ନ ବିଦେଶୀ କମ୍ପାନୀଙ୍କୁ ଓଡ଼ିଶାର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁର ଠାରେ ଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାରକୁ ବିକଶିତ କରିବା ପାଇଁ କମ୍ପାନୀକୁ ନିମନ୍ତ୍ରଣ କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଭାରତର ଊର୍ଜା କମ୍ପାନୀମାନେ ନୂଆ ଉପାୟରେ ଏବଂ ନବସୃଜନ ମାଧ୍ୟମରେ ଆତ୍ମନିର୍ଭର ଭାରତ ନିର୍ମାଣ କରିବାରେ ବଡ଼ ଯୋଗଦାନ ରଖିବା ଦିଗରେ କାମ କରୁଛନ୍ତି । ଏ ମର୍ମରେ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି । ୨୦୨୩ ସୁଦ୍ଧା ସମସ୍ତ ରେଳ ଲାଇନକୁ ଶତପ୍ରତିଶତ ବିଦ୍ୟୁତ୍କରଣ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ଚାଲୁଅଛି । ଏମ୍ଏନ୍ଆର୍ଇର କିଷାନ ଊର୍ଜା ଇଭାମ ଉଥାନ ଅଧୀନ ମହାଭିଯାନରେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ସୋଲାର ପମ୍ପର ସ୍ଥାପନା ପାଇଁ ଲକ୍ଷ୍ୟ ରଖାଯାଇଛି ।
ପରିବହନ ମନ୍ତ୍ରଣାଳୟ ସିଏନ୍ଜିକୁ ଏକ ବିକଳ୍ପ ଇନ୍ଧନରେ ଗ୍ରହଣ କରୁଛି ଓ ଜାହାଜ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ କୋଇଲା ଗ୍ୟାସିଫିକେସନ୍ ପ୍ରକଳ୍ପର ବିକାଶ କରି ସ୍ୱଚ୍ଛ କୋଇଲା ପ୍ରଯୁକ୍ତିବିଦ୍ୟାକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନିଆଯାଇଛି । କୋଭିଡ୍-୧୯ ପରବର୍ତ୍ତୀ ଦୃଶ୍ୟପଟରେ ବିଶ୍ୱର ତୃତୀୟ ସର୍ବବୃହତ ଊର୍ଜା ଉତ୍ପାଦନକାରୀ ରାଷ୍ଟ୍ର ଭାରତ ଊର୍ଜାର ଆହ୍ୱାନକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ଦେଶର ତୈଳ ବିପଣନ କମ୍ପାନୀମାନେ ଆଫ୍ରିକା, ଉତ୍ତର ଏବଂ ଦକ୍ଷିଣ ଆମେରିକା ସମେତ ୩୦ଟି ଦେଶରୁ ଅଶୋଧିତ ତୈଳ ଆମଦାନୀ କରୁଛନ୍ତି । ହାଇଡ୍ରୋକାର୍ବନ୍ ପାଇଁ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବାକୁ ଉଦ୍ୟମ କରାଯାଉଛି । ୨୦୨୦ ବର୍ଷ ଏପ୍ରିଲ ଏବଂ ମଇରେ ଅଶୋଧିତ ତୈଳର ମୂଲ୍ୟ କମ୍ ରହିବାରୁ ଏହାର ଲାଭ ଉଠାଯାଇ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାରରେ ୧୬ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ଭର୍ତ୍ତି କରାଯାଇଛି । ଯଦ୍ୱାରା ସରକାରଙ୍କ ୫ ହଜାରରୁ ଅଧିକ କୋଟି ସଞ୍ଚୟ ହୋଇପାରିଛି ।
ଅଶୋଧିତ ଏବଂ ପେଟ୍ରୋଲିୟମ ଉତ୍ପାଦ ସଂରକ୍ଷଣ କ୍ଷମତାକୁ ୭୪ ଦିନର ଜାତୀୟ ବ୍ୟବହାରରୁ ୯୦ ଦିନ ପର୍ଯ୍ୟନ୍ତ ଉନ୍ନତ କରାଯାଉଛି । ପରବର୍ତ୍ତୀ ବାଣିଜ୍ୟିକ ଷ୍ଟ୍ରାଟେଜିକ୍ ରିଜର୍ଭ କାର୍ଯ୍ୟକ୍ରମରେ ଯାଜପୁର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁରରେ ନିର୍ମାଣାଧୀନ ଥିବା ୬.୫ ମିଲିୟନ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ କ୍ଷମତା ବିଶିଷ୍ଟ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାରକୁ ବିକଶିତ କରିବା ପାଇଁ ଦେଶୀୟ କମ୍ପାନୀଙ୍କ ସହ ସାମିଲ ହେବା ପାଇଁ ଶ୍ରୀ ପ୍ରଧାନ ବିଦେଶୀ କମ୍ପାନୀଗୁଡ଼ିକୁ ନିମନ୍ତ୍ରଣ କରିଛନ୍ତି । ଭାରତ ସରକାର ରାଜସ୍ୱ ଅପେକ୍ଷା ଆମଦାନୀକୁ ଗୁରୁତ୍ୱ ଦେଉଛନ୍ତି । ତୈଳ ବିପଣନ କମ୍ପାନୀମାନେ ୧୪ ହଜାର କୋଟି ଟଙ୍କା ବ୍ୟୟରେ ୧୨ଟି ଟୁଜି ଜୈବ-ବିଶୋଧନାଗାର ପ୍ରତିଷ୍ଠା କରିବା ଦିଗରେ କାମ କରୁଛନ୍ତି । ୨୦୩୦ ସୁଦ୍ଧା ପେଟ୍ରୋଲରେ ଇଥାନଲର ୨୦% ମିଶ୍ରଣ ଏବଂ ଡିଜେଲରେ ବାୟୋ-ଡିଜେଲର ୫% ମିଶ୍ରଣର ଲକ୍ଷ୍ୟ ପୂରଣ କରିବାକୁ କାର୍ଯ୍ୟ କରାଯାଉଛି । ଅପରପକ୍ଷରେ ସିଟି ଗ୍ୟାସ ବିତରଣ(ସିଜିଡି) ନେଟୱର୍କର ଏବଂ ସିଏନ୍ଜି ଷ୍ଟେସନ ପ୍ରତିଷ୍ଠା ସମ୍ପ୍ରସାରଣରେ ଦ୍ରୁତ ଗତିରେ ବୃଦ୍ଧି ପରିଲକ୍ଷିତ ହୋଇଛି ।
୨୦୩୦ ସୁଦ୍ଧା ୫ ହଜାର ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ବିଗତ ୬ ବର୍ଷରେ ଭାରତର କୂଟନୈତିକ ଓ ବୈଦେଶିକ ନୀତି ଦେଶ ପାଇଁ ସହଯୋଗୀ ହୋଇଛି । ରୁଷ, ଆମେରିକା, ସାଉଦିଆରବ ଏବଂ ୟୁଏଇ ସହିତ ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ସହ ସମ୍ପର୍କ ସ୍ଥାପନ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।