ପ୍ରକାଶ ପାଇଲା +୩ କଟଅଫ୍ ମାର୍କ, ଆଗରେ ବିଜେବି, ୨ ଭିତରେ ନାମଲେଖା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍ : ୨୦୨୦-୨୧ ଶିକ୍ଷାବର୍ଷ ଲାଗି +୩ ପ୍ରଥମ ପର୍ଯ୍ୟାୟ ମେଧାତାଲିକା ପ୍ରକାଶ ପାଇଛି । କଟଅଫ୍ ମାର୍କ ଅନୁଯାୟୀ, ଏହି ପ୍ରଥମ ପର୍ଯ୍ୟାୟରେ ୧,୫୮,୫୪୦ ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି । ରାଜ୍ୟରେ ମୋଟ ୧୦୨୯ଟି ଡିଗ୍ରୀ କଲେଜରେ ନାମଲେଖା ହେବ । ଆସନ୍ତା ୧ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ଅନ୍‌ଲାଇନରେ ଫି’ ଦାଖଲ କରିପାରିବେ । କାଲିଠୁ ଅକ୍ଟୋବର ୨ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ଅକ୍ଟୋବର ୮ରେ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ । ତେବେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଟ୍‌ଅଫ ମାର୍କ ପ୍ରକାଶ ପାଇଛି । ଅଧିକାଂଶ ବିଭାଗରେ ଭୁବନେଶ୍ୱରର ବିଜେବି ମହାବିଦ୍ୟାଳୟ ଆଗରେ ରହିଛି । ସେହିପରି ଛାତ୍ରଛାତ୍ରୀଙ୍କ ମାର୍କ ସିଟ୍ ନଥିଲେ ନାମଲେଖା ସମୟରେ ଅଣ୍ଡର ଟେକିଂ ଦେଇ ପିଲାମାନେ ନାମଲେଖାଇ ପାରିବେ ବୋଲି ଜଣାପଡ଼ିଛି ।

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ୯୫ ପ୍ରତିଶତ ଥିବା ବେଳେ, ରସାୟନ ବିଜ୍ଞାନରେ ୯୪.୬ ପ୍ରତିଶତ, ପ୍ରାଣୀବିଜ୍ଞାନରେ ୯୫.୫ ପ୍ରତିଶତ ଓ ଉଦ୍ଭିଦ ବିଜ୍ଞାନରେ ୯୩.୪ ପ୍ରତିଶତ ଓ ଗଣିତରେ ୯୫.୨ ପ୍ରତିଶତ ରହିଛି । ସେହିପରି ବାଣିଜ୍ୟ ଶ୍ରେଣୀରେ ବି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଆଗରେ ରହିଛି । ଏହି ବିଭାଗରେ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ୮୮.୬୭ ପ୍ରତିଶତ ରହିଛି । ଅପରପକ୍ଷରେ କଳା ଶ୍ରେଣୀରେ ବି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଆଗରେ ରହିଛି । ଭୂଗୋଳରେ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ୯୨ ପ୍ରତିଶତ ଥିବା ବେଳେ, ଅର୍ଥନୀତିରେ ୯୦.୫%, ଇଂରାଜିରେ ୮୯.୨%, ସାସିଓଲୋଜିରେ ୮୪.୧୭%, ନୃତତ୍ତ୍ୱ ବିଭାଗରେ ୮୬.୩ ଓ ମନସ୍ଥତ୍ତ୍ୱ ବିଭାଗରେ ୮୪.୧୭ ପ୍ରତିଶତ ରହିଛି ।

ଚଳିତବର୍ଷ ମୋଟ୍ ୨ ଲକ୍ଷ ୩୦ ହଜାର ୭୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । କଟ୍‌ଅଫ୍ ମାର୍କକୁ ନଜର ଦେଇ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ୨୯ରୁ ଅକ୍ଟୋବର ୨ତାରିଖ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାପରେ ଅକ୍ଟୋବର ୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଅକ୍ଟୋବର ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଚାଲିବ । ରାଜ୍ୟର ମୋଟ ୨ ଲକ୍ଷ ୪୯ ହଜାର ୭୯୦ ଟି ସିଟ୍ ଲାଗି ନାମଲେଖା ପ୍ରକ୍ରିୟା ହେବ । ଚଳିତବର୍ଷ ଅନ୍‌ଲାଇନ୍ ମାଧ୍ୟମରେ ୨ ଲକ୍ଷ ୧୩ ହଜାର ୯୯୫ ଜଣ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅନ୍‌ଲାଇନ୍ ମାଧ୍ୟମରେ ୨ଲକ୍ଷ ୧୧ହଜାର ୬୮୦ ଜଣ ଛାତ୍ରଛାତ୍ରୀ ଫି’ ପୈଠ କରିସାରିଛନ୍ତି । ଅକ୍ଟୋବର ୧୩ତାରିଖ ପରେ ବଳକା ସିଟ୍ ପୂରଣ ନେଇ ସ୍ପଟ୍ ନାମଲେଖା ପ୍ରକ୍ରିୟା ଶେଷ ହେବ ।

କଳାରେ ୯୫ ହଜାର ୬୯୪ ଜଣ ଚୟନ ହୋଇଥିବା ବେଳେ ସେଲ୍‌ଫ ଫାଇନାନ୍ସରେ ୧୦୮୧ ଜଣ, ବାଣିଜ୍ୟରେ ୧୬୬୮୨ ଜଣ, ପଦାର୍ଥବିଜ୍ଞାନରେ ୨୩୮୧୭ ଜଣ, ବାୟୋଲୋଜିରେ ୧୭୪୯୩ ଜଣ ପିଲାଙ୍କୁ ମନୋନୀତ କରାଯାଇଛି । ମୋଟ ୭୦ ହଜାର ୨୩୨ ଜଣଙ୍କୁ ଚୟନ କରାଯାଇଥିଲା ବେଳେ ୮୮ହଜାର ୩୦୦ ଛାତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟ ଲାଗି ଚୟନ କରାଯାଇଛି ।