ଶେଷ ଶଯ୍ୟାରେ ସିନେ ନିର୍ଦ୍ଦେଶକ ଶାରଦା ନାୟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶିଷ୍ଟ କଥାଚିତ୍ର ଗୀତିକାର ତଥା ସିନେ ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ବର୍ଷ ହୋଇଥିଲା। ଗତ ସୋମବାରଠାରୁ ଅସୁସ୍ଥତା କାରଣରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବୁଧବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି। ୧୯୫୬ ମସିହାରେ ଭକ୍ତକବି ଜୟଦେବ ଚଳଚ୍ଚିତ୍ରରୁ ସହନିର୍ଦ୍ଦେଶକଭାବେ ନିଜ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ଚଳଚ୍ଚିତ୍ର ବ୍ୟତୀତ ସେ ରେଡିଓ ଓ ଦୂରଦର୍ଶନରେ ମଧ୍ୟ ସକ୍ରିୟ ଥିଲେ। ଓଡ଼ିଆ ଚଳଚ୍ଚିତ୍ର ମୁଖ୍ୟତଃ ବଙ୍ଗାଳୀ ନିର୍ଦ୍ଦେଶକଭାବେ ଛଦ୍ମନାମ ‘ସିଦ୍ଧାର୍ଥ’ ବ୍ୟବହାର କରି ଲକ୍ଷ୍ମୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ୧୯୬୨ ମସିହାରେ ଲକ୍ଷ୍ମୀର ସଫଳତା ପରେ ସେ ୧୯୬୬ ମସିହାରେ କା, ୧୯୬୮ରେ ସ୍ତ୍ରୀ ଓ ୧୯୭୧ରେ ସଂସାର ଓ ୧୯୮୮ରେ ‘ତମସା ତୀରେ’ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଲକ୍ଷ୍ମୀ, କା ଓ ସ୍ତ୍ରୀ ଚଳଚ୍ଚିତ୍ର ପାଇଁ ସେ ରାଷ୍ଟ୍ରପତି ପୁରସ୍କାର ଲାଭ କରିଥିଲେ। ବାପା ବାସୁଦେବ ନାୟକ ଓ ମା’ ସେବତୀ ନାୟକଙ୍କ ଠାରୁ୧୯୨୬ ମସିହା ଡିସେମ୍ବର ୧୩ ତାରିଖରେ କଟକ ବୟାଳିଶ ମୌଜାରେ ଜନ୍ମଗ୍ରହଣ କରିଥିଲେ। ସାରଦା ପ୍ରସନ୍ନ ନାୟକ ପ୍ରାଥମିକ ଶିକ୍ଷା କଟକ ମଧୁସୂଦନ ନଗରସ୍ଥିତ ଭିକ୍ଟୋରିଆ ସ୍କୁଲରୁ ଗ୍ରହଣ କରିଥିଲେ। ପରେ ସେ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଗ୍ରହଣ କଲାବେଳେ ନାଟକ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ।

୧୯୫୧ ମସିହାରୁ ସେ ନାଟକ ସଂଳାପ ରଚନା, ନିର୍ଦ୍ଦେଶନା ଓ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ। ୧୯୪୮ରେ ଆକାଶବାଣୀର ଗୋଟିଏ ନାଟକରେ ସହନାୟକ ଭୂମିକା ତାଙ୍କୁ ମିଳିଥିଲା। ତାଙ୍କ ନିର୍ଦ୍ଦେଶିତ ନାଟକଗୁଡ଼ିକ ମଧ୍ୟରେ ଶଙ୍ଖାଳି, ସୁନାମାଟି ଓ ପରିଶୋଧ ଅନ୍ୟତମ। ୨୦୧୩ ମସିହାରେ ୨୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ସେହିପରି ଶ୍ରୀ ନାୟକ ସିନେ କ୍ରିଟିକ୍ ସମ୍ମାନ, ନାଟ୍ୟଶ୍ରୀ ସମ୍ମାନ, ବାଣୀଚିତ୍ର ସମ୍ମାନ ଏବଂ ଚିନ୍ତା ଓ ଚେତନା ସମ୍ମାନ ଆଦି ଭଳି ୨୧ରୁ ଉଦ୍ଧ୍ୱର୍ ପୁରସ୍କାର ପାଇଥିଲେ। ଓଡ଼ିଆ ଚଳଚ୍ଚିତ୍ର, ନାଟକ , ରେଡ଼ିଓ ଓ ଟେଲିଭିଜନ ପାଇଁ ୨ଶହରୁ ଊଦ୍ଧ୍ୱର୍ ଗୀତ ସୃଷ୍ଟି କରିଛନ୍ତି। ଏହାବ୍ୟତୀତ ବିଭିନ୍ନ ସରକାରୀ ଗଣମାଧ୍ୟମ ସଂସ୍ଥା ଓ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର କମିଟି ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ।