ଦୁଇଲକ୍ଷ ଲୋକ ସମବେତ ହୋଇ ଦେଖିପାରିବେ ଶିବରାତ୍ରି ମହାଦୀପ
ଲିଙ୍ଗରାଜ ମନ୍ଦିର ସହ ସିଧା ଦେଖିହେବ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା
ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଜି ଏକାମ୍ରକ୍ଷେତ୍ର ଯୋଜନା ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଶ୍ରୀ ଲିଙ୍ଗରାଜ ମନ୍ଦିର ସନ୍ନିକଟ ୬୬ ଏକ ପରିମିତ ଜମି ଉପରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱର ଭବ୍ୟ ବିକାଶ କରାଯାଇ ଏଠାରେ ଏକ ଅଧ୍ୟାତ୍ମିକ, ଶାନ୍ତ ତଥା ଭକ୍ତିମୟ ପରିବେଶ ସୃଷ୍ଟି କରାଯିବ। ପୂର୍ବରୁ ୧୦ ରୁ ୧୫ ହଜାର ଲୋକ ମନ୍ଦିର ସମ୍ମୁଖରେ ସମବେତ ହେବାରେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଏହି ନୂଆ ଯୋଜନାପରେ ଦୁଇଲକ୍ଷରୁ ଅଧିକ ଲୋକ ସମବେତ ହୋଇ ପାରିବେ। ଏହାସହ ମହାପ୍ରଭୁଙ୍କର ଶିବରାତ୍ରି ଉତ୍ସବରେ ସାମିଲ ହୋଇ ମହାଦୀପ ଦର୍ଶନର ଆଧ୍ୟାତ୍ମିକ ଅନୁଭବ ଲାଭ କରିପାରିବେ। ଶ୍ରାବଣ ମାସରେ ଲକ୍ଷଲକ୍ଷ ଲୋକ କାଉଡିଆ ଶ୍ରୀ ଲିଙ୍ଗରାଜ ମନ୍ଦିର ଆସିଥାନ୍ତି। ସେମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମନ୍ଦିର ଯାଇ ପାଣି ଲାଗି ଓ ପୂଜା କରିପାରିବେ ସେଥିପାଇଁ ଏହି ଯୋଜନାରେ ଦୃଷ୍ଟି ଦିଆଯାଇଛି।
