ରାଜ୍ୟରେ ଆଉ ୧,୩୮୪ ନୂଆ କରୋନା ପଜିଟିଭ ଚିହ୍ନଟ: ୯ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୧,୩୮୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୮୮୯ ଜଣ ଓ ସ୍ଥାନୀୟ ସଂକ୍ରମଣ ୫୯୫ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ହଜାର ୬୮୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ୧,୩୮୪ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୮୮, ଖୋର୍ଦ୍ଧାରୁ ୨୦୧, କଟକରୁ ୧୨୧, ସମ୍ବଲପୁରରୁ ୮୨, କେନ୍ଦୁଝରରୁ ୬୬, ସୁନ୍ଦରଗଡ଼ରୁ ୬୪ ଓ କନ୍ଧମାଳ ଜିଲ୍ଲାରୁ ୬୨ ଜଣ ରହିଛନ୍ତି।

ସେହିପରି କରୋନା ଯୋଗୁ ଆଉ ୯ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୬, ପୁରୀ, ଯାଜପୁର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଗଞ୍ଜାମରୁ ପ୍ରାଣ ହରାଇଥିବା ୬ଜଣଙ୍କ ମଧ୍ୟରେ ୪୦, ୫୦, ୪୬ ଓ ୬୦ବର୍ଷୀୟ ପୁରୁଷ ଓ ୬୦, ୭୫ ବର୍ଷୀୟ ମହିଳା ରହିଛନ୍ତି। ଏମାନେ କରୋନା ବ୍ୟତୀତ ମଧୁମେହ, ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ। ଏଥିସହିତ ଗଞ୍ଜାମରେ ମୃତ୍ୟୁସଂଖ୍ୟା ୧୧୬କୁ ବୃଦ୍ଧି ପାଇଛି। ସେହିପରି ପୁରୀରୁ ୫୭ ବର୍ଷୀୟ, ଯାଜପୁରରୁ ୪୦ ବର୍ଷୀୟ ଓ ଖୋର୍ଦ୍ଧାରୁ ୫୫ ବର୍ଷୀୟ ପୁରୁଷ କରୋନାରେ ଆଖି ବୁଜିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫ଲକ୍ଷ ୭୦ ହଜାର ୫୯୦ଟି କରୋନା ଟେଷ୍ଟ ହୋଇଥିବାବେଳେ ୩୭ ହଜାର ୬୮୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୨୩ ହଜାର ୭୩ ଜଣ ସୁସ୍ଥ ହୋଇଛନ୍ତି, ୨୧୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୪ ହଜାର ୩୫୦ ଜଣ ଚିକିତ୍ସିତ ହେଉଛନ୍ତି।