ଭୁବନେଶ୍ୱରରେ ମହିଳା ଭିଜିଲାନ୍ସ ଡିଏସପିଙ୍କୁ ବନ୍ଧୁକ ଦେଖାଇ ଲୁଟ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ମହିଳା ଭିଜିଲାନ୍ସ ଡିଏସପିଙ୍କ ବେକରୁ ଦୁର୍ବୃତ୍ତମାନେ ସୁନା ଚେନ୍‌ ଓ କାନଫୁଲ ଲୁଟି ନେଇଥିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଦୁର୍ବୃତ୍ତମାନେ ବାଇକରେ ଆସି ଘର ସାମ୍ନାରୁ ଲୁଟ୍ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ସରକାରୀ ବାସଭବନଠାରେ ସକାଳ ସମୟରେ ଭିଜିଲାନ୍ସ ଡିଏସପି ତନୁଜା ମହାନ୍ତି ଝାଡୁ କରୁଥିବା ସମୟରେ ଏହି ଲୁଟ୍ ଘଟଣା ଘଟିଛି। ଘର ଗେଟ୍ ଆଗରେ ଆସି ଲୁଟେରା ୨ ଜଣ ଠିଆ ହେବା ସହ ଡିଏସପିଙ୍କୁ ଆପଣଙ୍କ ଫୋନ୍ ଆସିଛି ବୋଲି କହିଥିଲେ। ପରେ ସେମାନେ ଗ୍ରିଲ୍ ଖୋଲି ଭିତରକୁ ପଳାଇ ଆସିଥିଲେ। ତାପରେ ବନ୍ଧୁକ ଦେଖାଇ ବେକରୁ ସୁନାଚେନ୍ ଲୁଟି ନେଇଥିଲେ। ଏନେଇ ଡିଏସପି ଜଣଙ୍କ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ତଦନ୍ତକାରୀ ଟିମ୍ ପହଞ୍ଚି ତଦନ୍ତ କରୁଛି। ଏଠି ସବୁଠାରୁ ବଡ ପ୍ରଶ୍ନର ବିଷୟ କି, ଯଦି ରାଜଧାନୀରେ ଡିଏସପି ଲୁଟର ଶିକାର ହେଉଛନ୍ତି, ତେବେ ସାଧାରଣ ଲୋକେ କେତେ ସୁରକ୍ଷିତ।