ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ପୁଣି ୧୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ସେଥିମଧ୍ୟରେ ଗଞ୍ଜାମର ୬ ଜଣ, ଖୋର୍ଦ୍ଧାର ୨ ଜଣ ଓ ଗଜପତି ଓ ସୁନ୍ଦରଗଡ଼ର ଜଣେ ଲେଖାଏଁ ଥିବା ଜଣାପଡ଼ିଛି। ଏଥିସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୪୦ରେ ପହଞ୍ଚିଛି। ତେବେ ରାଜ୍ୟରେ ଦୈନନ୍ଦିନ କରୋନା ପରିସ୍ଥିତି ଜଟିଳ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି।
ସୂଚନା ଅନୁସାରେ ଗଞ୍ଜାମରେ ଆଜି ୬ ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୭୯ରେ ପହଞ୍ଚିଛି। ଏହି ୬ ଜଣଙ୍କ ମଧ୍ୟରେ ଜଣେ ୬୩ ବର୍ଷୀୟ ବୃଦ୍ଧ, ୨ ଜଣ ୬୦ ବର୍ଷୀୟ ବୃଦ୍ଧ ଓ ଜଣେ ୫୧ ବର୍ଷୀୟ ମହିଳା ରହିଛନ୍ତି। ସେହିପରି ଜଣେ ୫୫ ବର୍ଷୀୟ ପୁରୁଷ ତାଙ୍କୁ ପୂର୍ବରୁ ଡାଇବେଟିସ ଥିଲା ଓ ଜଣେ ୬୪ ବର୍ଷୀୟ ବୃଦ୍ଧ ସେ ପୂର୍ବରୁ କୀଡ଼ନି ରୋଗରେ ପୀଡ଼ିତ ଥିଲେ। ତେବେ ଆଜି ସେମାନଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।
ସେହିପରି ଖୋର୍ଦ୍ଧାର ୨ ମୃତକଙ୍କ ମଧ୍ୟରେ ଜଣେ ଖୋର୍ଦ୍ଧା ଜିଲ୍ଲାର ୩୫ ବର୍ଷୀୟ ପୁରୁଷ ଓ ଜଣେ ଭୁବନେଶ୍ୱରର ୫୮ ବର୍ଷୀୟ ମହିଳା ବୋଲି ଜଣାପଡ଼ିଛି। ଗଜପତିର ମୃତକ ଜଣଙ୍କ ୬୩ ବର୍ଷୀୟ ପୁରୁଷ ତାଙ୍କୁ ଡାଇବେଟିସ ଥିବା ବେଳେ ସୁନ୍ଦରଗଡ଼ର ମୃତକ ଜଣଙ୍କ ୬୯ ବର୍ଷୀୟ ପୁରୁଷ ଏବଂ ତାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଥିଲା। ଅପରପକ୍ଷରେ ରାଜ୍ୟରେ ଆହୁରି ୩୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କର ମୃତ୍ୟୁର କାରଣ କରୋନା ନୁହେଁ ବୋଲି କୁହାଯାଇଛି।