ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଯୋଗୁ ଦିନକରେ ସର୍ବାଧିକ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଗଞ୍ଜାମରୁ ୩, ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୨ଲେଖାଏଁ, ଗଜପତି, ଝାରସୁଗୁଡ଼ା ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ଜଣେ ୫୪ ବର୍ଷୀୟ ପୁରୁଷ ରହିଛନ୍ତି ଯିଏକି ମଧୁମେହରେ ପୀଡ଼ିତ ଥିଲେ। ଗଜପତିରୁ ଜଣେ ୩୭ ବର୍ଷୀୟ ପୁରୁଷ ରହିଛନ୍ତି ଯିଏକି କରୋନା ବ୍ୟତୀତ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ଥିବା ସୂଚନା ମିଳିଛି। ଝାରସୁଗୁଡ଼ାରୁ ଜଣେ ୬୧ ବର୍ଷୀୟ ବୃଦ୍ଧ ରହିଥିବାବେଳେ ସୁନ୍ଦରଗଡ଼ ଓ ଗଞ୍ଜାମରୁ ୬୦ ବର୍ଷୀୟ ଜଣେ ଲେଖାଏଁ ବୃଦ୍ଧ ରହିଛନ୍ତି। ବାଲେଶ୍ୱରରୁ ଜଣେ ୬୦ ବର୍ଷୀୟା ବୃଦ୍ଧା ରହିଛନ୍ତି ଯିଏକି କରୋନା ବ୍ୟତୀତ ମଧୁମେହ ଓ ମେଦବହୁଳତାରେ ପୀଡ଼ିତ ଥିଲେ। ରାୟଗଡ଼ାର ଜଣେ ୪୭ ବର୍ଷୀୟ ପୁରୁଷ ମେଦବହୁଳତାରେ ଆକ୍ରାନ୍ତ ଥିଲେ।
ସୂଚନାଯୋଗ୍ୟ, ଆଜି ୬ଟି ଜିଲ୍ଲାରୁ ୧୦ ଜଣ କରୋନାରେ ପ୍ରାଣ ହରାଇବା ପରେ ଗଞ୍ଜାମରେ ମୃତ୍ୟୁସଂଖ୍ୟା ୭୩କୁ ବୃଦ୍ଧି ପାଇଛି। ସେହିପରି ଗଜପତିରେ ୮, ସୁନ୍ଦରଗଡ଼ ଓ ରାୟଗଡ଼ାରେ ୪ ଲେଖାଏଁ, ବାଲେଶ୍ୱରରେ ୨ ଓ ଝାରସୁଗୁଡ଼ାରେ ସଂଖ୍ୟା ୧ରେ ପହଞ୍ଚିଛି।