ଚୌଦ୍ୱାରରେ ହେବ ବିଶ୍ୱସ୍ତରୀୟ ଟେକ୍ସଟାଇଲ୍ ପାର୍କ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଚୌଦ୍ୱାରରେ ବିଶ୍ୱସ୍ତରୀୟ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଯୋଜନା ରହିଛି ବୋଲି କହିଛନ୍ତି ଏମଏସଏମଇ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। ଶୁକ୍ରବାର ଶ୍ରୀ ମିଶ୍ର ଓଟିଏମ ଚୌଦ୍ୱାର, ପେପସି ଜଗତପୁର ଓ ବଲାରପୁର କାଗଜକଳ ଉପରେ ଏକ ଭର୍ଚୁଆଲ ବୈଠକ ଆୟୋଜନ କରି ଏସବୁ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକରେ ରହିଥିବା ସମସ୍ୟାକୁ କିପରି ସମାଧାନ କରାଯାଇପାରିବ ସେ ନେଇ ଆଲୋଚନା କରିଛନ୍ତି।
ମନ୍ତ୍ରୀ କ୍ୟାପଟେନ୍ ମିଶ୍ର ଦୀର୍ଘଦିନ ଧରି ହାଇକୋର୍ଟରେ ବିଚାରାଧୀନ ଥିବା ଓଡ଼ିଶା ଟେକ୍ସଟାଇଲ ମିଲ (ଓଟିଏମ) ମାମଲାର ତୁରନ୍ତ ଫଇସଲା ଉପରେ ଜୋର ଦେଇ ଏଠାରେ ବ୍ୟାପକ ପୁଞ୍ଜିନିବେଶ କରାଯିବା ସହ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରସ୍ତାବ ରଖିଥିଲେ। ଏଠାରେ ଏକ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ନେଇ ଆଲୋଚନା କରିଥିଲେ। ଏସବୁ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ରହିଥିବା ମାମଲା ଫଇସଲା ହେବା ପରେ ଇଡକୋ ଓ ହସ୍ତତନ୍ତ, ବୟନ ଓ ହସ୍ତତନ୍ତ ବିଭାଗ ଆବଶ୍ୟକ ପଦକ୍ଷେପ ନେଇ ଓଟିଏମ ଚୌଦ୍ୱାରକୁ ଏକ ବିଶ୍ୱସ୍ତରୀୟ ଟେକ୍ସଟାଇଲ ପାର୍କରେ ପରିଣତ କରିବାକୁ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଭିଡିଓ କନଫରେନିଂରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଡକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ସିଂହ, ଆଇନ ବିଭାଗର ପ୍ରମୁଖ ସଚିବ ଶଶିକାନ୍ତ ମିଶ୍ର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସଚିବ ଶୁଭା ଶର୍ମା, କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନି ଏବଂ ଅତିରିକ୍ତ ପୁଲିସ ଉପଆୟୁକ୍ତ ପ୍ରମୋଦ ରଥ ପ୍ରମୁଖ ଅଂଶଗ୍ରହଣ କରି ନିଜର ମତାମତ ରଖିଥିଲେ।