ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଶତକ ଛୁଇଁଲା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୬ଜଣଙ୍କର କରୋନା ଯୋଗୁ ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି।

ଆଜି ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦ୍ରାପଡ଼ାର ଜଣେ ୬୩ ବର୍ଷୀୟ ବୃଦ୍ଧ ରହିଛନ୍ତି ଯିଏକି ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ସେହିପରି କଟକରୁ ଜଣେ ୨୬ ବର୍ଷୀୟା ଯୁବତୀ ଓ ଗଜପତିରୁ ଜଣେ ୬୮ ବର୍ଷୀୟ ବୃଦ୍ଧ ରହିଛନ୍ତି। ଉଭୟ କରୋନା ବ୍ୟତୀତ ମଧୁମେହ ଓ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ। ଜଗତସିଂହପୁରରୁ ଜଣେ ୫୮ ବର୍ଷୀୟ ପୁରୁଷ ରହିଛନ୍ତି ସେ କ୍ୟାନ୍ସରରେ ପୀଡ଼ିତ ଥିଲେ। ଖୋର୍ଦ୍ଧାର ଜଣେ ୭୫ ବର୍ଷୀୟ ବୃଦ୍ଧ ଓ ରାୟଗଡ଼ରୁ ୭୪ ବର୍ଷୀୟ ବୃଦ୍ଧ ରହିଛନ୍ତି ଯିଏକି ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।

ସେହିପରି କରୋନା ପଜିଟିଭ ଚିହ୍ନଟ ହୋଇଥିବା ୨ଜଣ ଆକ୍ରାନ୍ତ ଅନ୍ୟ କାରଣରୁ ପ୍ରାଣ ହରାଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ର ଜଣେ ୪୦ ବର୍ଷୀୟା ମହିଳା ରହିଛନ୍ତି ଯିଏକି ଅଭାରି କ୍ୟାନ୍ସର, ହାଇପରକାଲେମିଆ ଓ କିଡନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। ଅନ୍ୟଜଣେ ପୁରୀର ୪୬ ବର୍ଷୀୟା ମହିଳା ରହିଛନ୍ତି, ସେ ଫୁସଫୁସ ଜନିତ କ୍ୟାନ୍ସରରେ ପୀଡ଼ିତ ଥିଲେ।