ସମ୍ ରେ କରୋନା ଟିକାର ମାନବ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ଏନ୍ଏନ୍ଏସ୍: କୋଭିଡ-୧୯ ଭ୍ୟାକ୍ସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ଭୁବନେଶ୍ୱରସ୍ଥିତ ସମ୍ ହସପିଟାଲରେ ସୋମବାର ଆରମ୍ଭ ହୋଇଛି। ଭାରତର ପ୍ରଥମ କୋଭିଡ-୧୯ ଭ୍ୟାକସିନର ମାନବ ପରୀକ୍ଷଣ ନିମନ୍ତେ ଦେଶର ୧୨ଟି ଅନୁଷ୍ଠାନକୁ ସ୍ୱୀକୃତି ଦିଆଯାଇଥିବାବେଳେ ଓଡିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସପିଟାଲକୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ମନୋନୀତ କରଯାଇଛି।
ଆଇସିଏମଆର ଓ ଭାରତ ବାୟୋଟେକର ମିଳିତ ସହଯୋଗରେ ଏହି ଭ୍ୟାକସିନର ପ୍ରସ୍ତୁତି ଚାଲିଥିବାବେଳେ ସମ ହସ୍ପିଟାଲରେ ଏହାର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ଭାବେ ପ୍ରିଭେନ୍ଟିଭ ଆଣ୍ଡ ଥେରାପିଉଟିକ କ୍ଲିନିକାଲ ଟ୍ରାଏଲ୍ ୟୁନିଟର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମଆରସି)ର ନିର୍ଦ୍ଦେଶିକା ଡଃ ସଂଘମିତ୍ରା ପତି, ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିବା ବେଳେ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲର ଡିନ ପ୍ରଫେସର ଗଙ୍ଗାଧର ସାହୁ, ସମ ହସ୍ପିଟାଲର କମ୍ୟୁନିଟି ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର ତ୍ରିଲୋଚନ ସାହୁ ଏବଂ ଭ୍ୟାକସିନ ଟ୍ରାଏଲର ମୁଖ୍ୟ ପରୀକ୍ଷକ ତଥା କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଡ. ଇ ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ।
ସୋମବାର ଭ୍ୟାକସିନ ଟ୍ରାଏଲର ସ୍କ୍ରିନିଂ ଆରମ୍ଭ କରାଯାଇଥିବା ବେଳେ ୧୮ରୁ ୫୫ ବର୍ଷ ବୟସର ସ୍ୱେଚ୍ଛାସେବୀମାନଙ୍କ ଶରୀରରେ ଏହି ଟିକା ପରୀକ୍ଷଣ କରାଯିବ ବୋଲି ଡଃ ରାଓ କହିଛନ୍ତି। ଏହି ବହୁ ପ୍ରତିକ୍ଷୀତ ଭ୍ୟାକସିନର କ୍ଲିନିକାଲ୍ ଟ୍ରାଏଲ୍ ନିମନ୍ତେ ଓଡ଼ିଶାର ଏକମାତ୍ର ହସ୍ପିଟାଲ ଭାବେ ଆଇଏମଏସ ଆଣ୍ଡ ସମ ହସପିଟାଲ ମନୋନୀତ ହୋଇଥିବା ବେଳେ ସୋମବାର ଶୁଭାରମ୍ଭ ହୋଇଥିବା କ୍ଲିନିକାଲ୍ ଟ୍ରାଏଲ ୟୁନିଟ ଓଡ଼ିଶାର ଏକମାତ୍ର କେନ୍ଦ୍ରଭାବେ ସମ୍ ହସ୍ପିଟାଲରେ ତାର କାର୍ଯ୍ୟ ଆରମ୍ଭ କରିଛି।
କ୍ଲିନିକାଲ୍ ଟ୍ରାଏଲ୍ ୟୁନିଟ୍ର ଶୁଭାରମ୍ଭ ପରେ ଗଣମାଧ୍ୟକୁ ସୂଚନା ଦେଇ ଡଃ ରାଓ କହିଛନ୍ତି ଯେ ଦେଶ ସମେତ ବିଦେଶର ଅନେକ ଗବେଷଣା ଅନୁଷ୍ଠାନ କରୋନା ଟିକାର ପରୀକ୍ଷଣ କରୁଛନ୍ତି। ଏହି ପରୀକ୍ଷଣ ନିମନ୍ତେ ଶୁଭାରମ୍ଭ ହୋଇଥିବା ୟୁନିଟ୍ କ୍ଲିନିକାଲ ଟ୍ରାଏଲର ବିଭିନ୍ନ ଦିଗ ଉପରେ ମନୋନିବେଶ କରି କାର୍ଯ୍ୟ କରିବ। ୪ଟି ପର୍ଯ୍ୟାୟରେ ମଣିଷ ଉପରେ ଏହି ପରୀକ୍ଷଣ କରାଯିବ ବୋଲି ସେ କହିଛନ୍ତି। ସେହିପରି ଏହି କାର୍ଯ୍ୟରେ ଗୁଣବତ୍ତା, ମୂଲ୍ୟବୋଧ, ରୋଗୀଙ୍କ ସୁରକ୍ଷା ଉପରେ ଦୃଢ଼ ଦୃଷ୍ଟି ଦେବୁ। ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ ଏବଂ ସେଣ୍ଟ୍ରାଲ ଡ୍ରଗ୍ ଷ୍ଟାଣ୍ଡାଡାଇଜେସନ କଣ୍ଟ୍ରୋଲର ଅର୍ଗାନାଇଜେସନ ଦ୍ୱାରା ଅନୁମୋଦିତ ଭ୍ୟାକସିନ ହିଁ ଏହି ପରୀକ୍ଷଣରେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଏହି କରୋନା ମହାମାରୀରୁ ମାନବସମାଜକୁ ବଞ୍ଚାଇବା ପାଇଁ ଯେଉଁ ସ୍ୱେଚ୍ଛାସେବୀମାନେ ଏହି ଟିକା ପରୀକ୍ଷଣରେ ନିଜକୁ ନିୟୋଜିତ କରିବାକୁ ଚାହୁଁଛନ୍ତି ସେମାନେ ନିଜ ନାମ ପଞ୍ଜିକୃତ କରନ୍ତୁ ଅଥବା ୮୯୧୭୨୧୧୨୧୪ ହ୍ୱାଟସ୍ଆପ୍ ନମ୍ବରରେ ଯୋଗାଯୋଗ କରନ୍ତୁ ବୋଲି ଡଃ ରାଓ କହିଛନ୍ତି।
କୋଭିଡ୍-୧୯ ମହାମାରୀ ଦ୍ୱାରା ଉଦ୍ଭବ ପରିସ୍ଥିତି ଏବଂ ଜନସ୍ୱାସ୍ଥ୍ୟ ନିମନ୍ତେ ଜରୁରୀ ହୋଇପଡ଼ିଥିବା ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ନେଇ ପରୀକ୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଇସିଏମ୍ଆର ପକ୍ଷରୁ ସମ୍ ହସପିଟାଲକୁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଆଇସିଏମଆର-ନ୍ୟାସ୍ନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲଜି, ପୁଣେ ଦ୍ୱାରା ପୃଥକ କରାଯାଇଥିବା ଏହି ଭାଇରସର ଷ୍ଟ୍ରେନକୁ ନେଇ ଏହି ଚର୍ଚ୍ଚିତ ଭ୍ୟାକସିନ ପ୍ରସ୍ତୁତ କରଯାଉଛି। ଆଇସିଏମ୍ଆର୍ ଓ ଭାରତ ବାୟୋଟେକ ମିଳିତ ଭାବରେ ଏହି ଭ୍ୟାକସିନକୁ ପ୍ରସ୍ତୁତ କରୁଛନ୍ତି। ଡ୍ରଗ କଣ୍ଟ୍ରୋଲର ଜେନେରାଲ୍ ଅଫ ଇଣ୍ଡିଆଙ୍କ ପକ୍ଷରୁ ଫେଜ-୧ ଏବଂ ଫେଜ-୨ରେ ମଣିଷ ଉପରେ ଏହାର ପ୍ରୟୋଗ ନିମନ୍ତେ ଅନୁମତି ମିଳିସାରିଛି।