ରାଜ୍ୟରେ ଆଉ ୫୪୩ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୧୪ ହଜାରକୁ ଟପିଲା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୫୪୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩୫୪ଜଣ ରହିଥିବାବେଳେ ୧୮୯ଜଣ ସ୍ଥାନୀୟ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ହଜାର ୨୮୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୩ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫୪୩ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୧୮୮, ଖୋର୍ଦ୍ଧାରୁ ୮୭, ସୁନ୍ଦରଗଡ଼ରୁ ୫୨, କଟକରୁ ୩୯, ଗଜପତିରୁ ୨୯, ରାୟଗଡ଼ାରୁ ୨୪, କେଉଁଝର ଓ ମୟୁରଭଞ୍ଜରୁ ୨୨ ଲେଖାଏଁ, ଜଗତସିଂହପୁର ୧୫, ମାଲକାନଗିରି ୧୧ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦ଜଣ ରହିଛନ୍ତି। ସେହିପରି ବାଲେଶ୍ୱରରୁ ୮, ବୌଦ୍ଧ ଓ ପୁରୀରୁ ୭ ଲେଖାଏଁ, ଝାରସୁଗୁଡ଼ାରୁ ୬, ବଲାଙ୍ଗିରରୁ ୫, ବରଗଡ଼ରୁ ୩, ସମ୍ବଲପୁର ଓ ଢେଙ୍କାନାଳରୁ ୨ଲେଖାଏଁ, ଅନୁଗୁଳ, ଭଦ୍ରକ, ଯାଜପୁର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନାରେ ସଂକ୍ରମିତ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ଲକ୍ଷ ୪୭ହଜାର ୨୨୬ଟି କରୋନା ଟେଷ୍ଟ ହୋଇଥିବାବେଳେ ୧୪ ହଜାର ୨୮୦ଟି ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୯,୨୫୫ ଜଣ ସୁସ୍ଥ ହୋଇଛନ୍ତି ଓ ୭୪ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୪,୯୨୯ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।