ଲକ୍ଷଣ ନଥିବା ରୋଗୀ ହୋମ ଆଇସୋଲେସନରେ ରହିପାରିବେ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଲକ୍ଷଣ ନଥିବା କିମ୍ବା ସାମନ୍ୟ ଲକ୍ଷଣ ଥିବା କରୋନା ରୋଗୀ ଏବେ ହୋମ ଆଇସୋଲେସନରେ ରହିପାରିବେ। ଅନ୍ୟପଟେ ଲକ୍ଷଣ ନଥାଇ ପଜିଟିଭ ଚିହ୍ନଟ ହେଲେ ସର୍ତ୍ତମୂଳକ ଭାବେ ଘରେ ରହି ଚିକିତ୍ସିତ ହୋଇପାରିବେ। ଏହି ପରିବର୍ତ୍ତିତ ନିୟମ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି। ସମସ୍ତ ୧୧୪ ପୌରାଞ୍ଚଳ ଜିଲ୍ଲା ମୁଖ୍ୟାଳୟରେ ହୋମ ଆଇସୋଲେସନ, ସମସ୍ତ ଉପଖଣ୍ଡ ଓ ବ୍ଲକ ମୁଖ୍ୟାଳୟ ରୋଗୀଙ୍କୁ ହୋମ ଆଇସୋଲେସନର ଅନୁମତି ମିଳିଛି। ତେବେ ହୋମ ଆଇସୋଲେସନ ସୁବିଧା ଥିଲେ ହିଁ ଘରେ ରହି ଚିକିତ୍ସା ହେବାର ଅନୁମତି ମିଳିବ। ଏଥିସହିତ ଏଚଆଇଭି, ଅଙ୍ଗ ପ୍ରତିରୋପଣ, କ୍ୟାନ୍ସର, ହୃଦରୋଗୀ, ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ହୋମ ଆଇସୋଲେସନର ଅନୁମତି ମିଳିବନି।

ସେହିପରି ବଡ଼ ସଂସ୍ଥାମାନଙ୍କୁ ନିଜ ଅନୁଷ୍ଠାନର କର୍ମଚାରୀଙ୍କ ଚିକିତ୍ସା ପାଇଁ କୋଭିଡ କେୟାର ହୋମ କରିବା ପାଇଁ ଅମୁମତି ପ୍ରଦାନ କରାଯାଇଛି। ୧୦ରୁ ୨୦ ଜଣ ରୋଗୀଙ୍କ ପାଇଁ କୋଭିଡ କେୟାର ହୋମ କରିପାରିବେ। ନିଜ କର୍ମଚାରୀଙ୍କ ସୁବିଧା ଓ ମାନସିକ ସୁସ୍ଥତା ପାଇଁ କୋଭିଡ କେୟାର ହୋମ କରିପାରିବେ ବୋଲି ସୂଚନା ମିଳିଛି।