ଆଜି ପୁଣି ରାଜ୍ୟରେ ରେକର୍ଡ କଲା କରୋନା: ଗୋଟିଏ ଦିନରେ ୭୫୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ପୁଣି କରୋନା ସଂକ୍ରମଣ ରେକର୍ଡ କରିଛି। ଆଜି ରାଜ୍ୟର ୨୩ଟି ଜିଲ୍ଲାରୁ ୭୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୫୦୮ ଜଣ ସଂଗରୋଧ କେନ୍ଦ୍ରର ଥିବାବେଳେ ୨୪୭ ଜଣ ଲୋକାଲର ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୨୦ ଜଣ ଚିହ୍ନଟ ହୋଇଥିବା ସୂଚନା ରହିଛି। ସେହିପରି ଯାଜପୁରରୁ ୮୬ ଜଣ, ସୁନ୍ଦରଗଡ଼ରୁ ୬୨ ଜଣ, ଖୋର୍ଦ୍ଧାରୁ ୫୯ ଜଣ, କଟକରୁ ୫୫ ଜଣ, କେନ୍ଦୁଝରରୁ ୩୨ ଜଣ, ଗଜପତିରୁ ୩୦ ଜଣ, ମାଲକାନଗିରିରୁ ୧୮ ଜଣ, ନୟାଗଡ଼ରୁ ୧୬ ଜଣ, ମୟୂରଭଞ୍ଜ ଓ ବଲାଙ୍ଗିରରୁ ୧୨ ଜଣ ଲେଖାଏଁ, ପୁରୀରୁ ୧୧ ଜଣ, ବାଲେଶ୍ୱରରୁ ୯ ଜଣ, କୋରାପୁଟ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରୁ ୫ ଜଣ ଲେଖାଏଁ, ଦେବଗଡ଼ ଓ ଢ଼େଙ୍କାନାଳରୁ ୪ ଜଣ ଲେଖାଏଁ, ଅନୁଗୁଳରୁ ୩ ଜଣ, ସମ୍ବଲପୁର, କନ୍ଧମାଳ ଓ ଭଦ୍ରକରୁ ୨ ଜଣ ଲେଖାଏଁ ଓ ବରଗଡ଼ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭ ହଜାର ୪୦୭ ଜଣ ସୁସ୍ଥ ହୋଇଥିବା ବେଳେ ୪ ହଜାର ୪୭୬ ଜଣ ଚିକିତ୍ସିତ ହେଉଥିବା ସୂଚନା ଦିଆଯାଇଛି।