ବିନା ପରୀକ୍ଷାରେ ପାସ୍ ଉପରେ ଲାଗିଲା ଅଙ୍କୁଶ, ସେପ୍ଟେମ୍ବର ଶେଷ ସୁଦ୍ଧା ପରୀକ୍ଷା ସାରିବାକୁ ୟୁଜିସିର ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁଣି ହେବ +୩ ପରୀକ୍ଷା। ଯାହାକୁ ନେଇ ଛାତ୍ରଛାତ୍ରୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଠିକ ଭାବେ ପରୀକ୍ଷାର ଆୟୋଜନ କରି ସେପ୍ଟେମ୍ବର ଶେଷ ସୁଦ୍ଧା ସାରିବାକୁ ୟୁଜିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ସହ ପୁଣି ଥରେ ପରୀକ୍ଷା ନେଇ ଭାବିବାକୁ ବାଧ୍ୟ ହୋଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ବିନା ପରୀକ୍ଷାରେ ପାସ ନିଷ୍ପତ୍ତିକୁ ନାପସନ୍ଦ କରି ୟୁଜିସି ପକ୍ଷରୁ ଏକ ଏକ୍ସପର୍ଟ କମିଟି ଗଠନ କରାଯାଇଥିଲା। କମିଟିର ରିପୋର୍ଟ ଅନୁଯାୟୀ ଗୁଣାତ୍ମକ ଶିକ୍ଷା ଏବଂ ପିଲାଙ୍କ ଭବିଷ୍ୟତକୁ ଲକ୍ଷ ଦେଇ ପରୀକ୍ଷା କରିବା ଉଚିତ ବୋଲି ମତ ଦେଇଛନ୍ତି।

ତେବେ ୟୁଜିସି ପକ୍ଷରୁ ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଅନଲାଇନ୍, ଅଫଲାଇନ୍ ବା ବ୍ଲେଣ୍ଡେଡ୍ ପଦ୍ଧତିରେ ପରୀକ୍ଷା କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଖୁବଶୀଘ୍ର କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ନେଇ ଏକ ବୈଠକ କରିବ ଉଚ୍ଚଶିକ୍ଷା ବିଭାଗ ଏବଂ ପରୀକ୍ଷା ନେଇ ଆଲୋଚନା କରିବ ବୋଲି ସୂଚନା ମିଳିଛି। ଦୀର୍ଘ ପାଞ୍ଚ ମାସରୁ ଅଧିକ ସମୟ ହେଲାଣି ପରୀକ୍ଷାକୁ ନେଇ ଛକାପଞ୍ଝା ଲାଗି ରହିଛି। ମାସେ ତଳେ ପରୀକ୍ଷା ନ ହେବା ଖବର ପାଇ ଛାତ୍ରଛାତ୍ରୀ ନିଜକୁ ମାନସିକ ଭାବେ ପ୍ରସ୍ତୁତ କରିଥିଲେ। ମାତ୍ର ପରୀକ୍ଷାକୁ ନେଇ ବାରମ୍ବାର ମତ ବଦଳାଇବା ଦ୍ୱାରା ପିଲାଙ୍କ ମାନସିକ ସହ ଖେଳ ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।