୨ ବର୍ଷ ଯାଏଁ ନୂଆ ନିଯୁକ୍ତି ନାହିଁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଗାମୀ୨ବର୍ଷ ଯାଏଁ ସ୍ୱାସ୍ଥ୍ୟ ବିଭାଗକୁ ଛାଡ଼ି ଅନ୍ୟ କୌଣସି ବିଭାଗରେ ନୂଆ ପଦବୀ ସୃଷ୍ଟି ହେବ ନାହିଁ। ସେହିପରି ରାଜ୍ୟରେ କୌଣସି ନୂଆ ଯୋଜାନା କିମ୍ବା ପ୍ରକଳ୍ପ କାର୍ଯ୍ୟକାରୀ ହେବ ନାହିଁ। ଗତ ୩ ମାସ ଧରି ରାଜ୍ୟରେ କରୋନ ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପ ଏକରକମ ଠପ୍ ହୋଇପଡ଼ିଥିବା ବେଳେ ରାଜ୍ୟ ସରକାର ଏଭଳି କେତେକ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। ଏନେଇ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା ସବୁ ବିଭାଗକୁ ଚିଠି ଲେଖି ଅବଗତ କରିଛନ୍ତି। ବିଶେଷକରି କରୋନା ପାଇଁ ଦୁର୍ବଳ ଅର୍ଥନୀତି ଯୋଗୁଁ ସରକାର ଖର୍ଚ୍ଚକାଟ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବିଭିନ୍ନ ଉପାୟରେ କିଭଳି ବ୍ୟୟ କମ୍ କରାଯାଇ ପାରିବ ସେ ସଂକ୍ରାନ୍ତରେ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ନିର୍ଦ୍ଦେଶନାମା ଜାରି ହୋଇଛି।
ଚିଠିରେ ଶ୍ରୀ ମୀନା ଉଲ୍ଲେଖ କରିଛନ୍ତି ଯେ ବିଶ୍ୱ ମହାମାରୀ କୋଭିଡ୍-୧୯ ଯୋଗୁଁ ରାଜ୍ୟର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଦେଶବ୍ୟାପୀ  ଲକଡାଉନ / ସଟଡାଉନ କାରଣରୁ ଅର୍ଥନୈତିକ କାର୍ଯ୍ୟକଳାପରେ ବାଧା ଉପୁଜିଛି। ଅନ୍ୟପଟେ କୋଭିଡ୍ ପରିଚାଳନା ପାଇଁ ଅଧିକ ଖର୍ଚ୍ଚର ଆବଶ୍ୟକତା ରହିଛି। ସେହିପରି ସମାଜର ପ୍ରଭାବିତ ବର୍ଗଙ୍କ ଲାଗି ଜୀବନଜୀବିକା ଓ ନୂତନ ନିଯୁକ୍ତି ସୃଷ୍ଟି ସକାଶେ ଅଧିକ ଖର୍ଚ୍ଚ ଜରୁରୀ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆର୍ଥିକ କଟକଣା ଲାଗୁ କରିଛନ୍ତି। ବଡ଼ ନିଷ୍ପତ୍ତି ସ୍ୱରୂପ ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ ନୂଆ ଗାଡ଼ି କିଣିବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ସେହିଭଳି ବିଭିନ୍ନ ସ୍ଥାନକୁ ଗସ୍ତ କରିବା ବଦଳରେ ଭିଡିଓ କନ୍‍ଫରେନ୍ସି ଜରିଆରେ ବୈଠକ ଓ ସରକାରୀ କାର୍ଯ୍ୟ କରିବା ପାଇଁ କୁହାଯାଇଛି। ବିଦେଶ ଗସ୍ତକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବାବେଳେ ସରକାରୀ ଅର୍ଥରେ ବିମାନରେ ବିଜିନେସ୍‍ କ୍ଲାସରେ ଯିବାପାଇଁ ମଧ୍ୟ ବାରଣ ହୋଇଛି। ବିମାନ ଯାତ୍ରା ବଦଳରେ ଭିଡିଓ କନଫରେନ୍ସି ମାଧ୍ୟମରେ ବୈଠକରେ ଯୋଗଦେବାକୁ କୁହାଯାଇଛି।

ସେହିପରି ସରକାରୀ ବାବୁଙ୍କ ପାଇଁ ପ୍ରଥମଶ୍ରେଣୀ ରେଳଯାତ୍ରାକୁ ବି ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏବେ ଭଡ଼ାରେ ଗାଡ଼ି ଆଣିବା ପାଇଁ ଅର୍ଥ ବିଭାଗରୁ ଅନୁମତି ନେବାକୁ ପଡ଼ିବ। ସେହିଭଳି ରାଜ୍ୟ ସରକାରଙ୍କ ନିବାସ ଓ ଭବନ ଥିବା ଦିଲ୍ଲୀ, କୋଲକତା, ମୁମ୍ବାଇ ଓ ଚେନ୍ନାଇରେ ସରକାରୀ ବାବୁମାନେ ହୋଟେଲରେ ରହିପାରିବେ ନାହିଁ। ମେଡିକାଲ ଓ ଡିଜିଟାଲ ଯୋଗାଯୋଗ ସାମଗ୍ରୀକୁ ବାଦ୍‍ ଦେଲେ କୌଣସି ନୂଆ ଉପକରଣ କିଣାଯାଇ ପାରିବ ନାହିଁ। ତଥାପି ମେଡିକାଲ ଓ ଯୋଗାଯୋଗ ସାମଗ୍ରୀ କିଣିବା ପାଇଁ ଅର୍ଥ ବିଭାଗରୁ ଅନୁମତି ନେବାକୁ ପଡ଼ିବ।