ଲେହ,ଏଜେନ୍ସି : ଭାରତ-ଚୀନ ଏଲ୍ଏସି ଓ ଭାରତ-ପାକିସ୍ତାନ ଏଲ୍ଓସି ମଧ୍ୟରେ ଯୋଗସୂତ୍ର ସ୍ଥାପନ ଉଦ୍ଦେଶ୍ୟରେ ନିର୍ମାଣ କରାଯାଉଥିବା ୩ଟି ସେତୁର କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି। ମଙ୍ଗଳବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିର୍ମାଣାଧୀନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଉକ୍ତ ବୈଠକରେ ବର୍ଡର ରୋଡ୍ସ ଅର୍ଗାନାଇଜେସନ୍ (ବିଆରଓ) ମୁଖ୍ୟ ଲେଫ୍ଟନାଣ୍ଟ୍ ଜେନେରାଲ୍ ହର୍ପାଲ ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ନିର୍ମାଣାଧୀନ ପ୍ରକଳ୍ପର କୌଣସି କାର୍ଯ୍ୟ ଅଧାପନ୍ତରିଆ ରହିବ ନାହିଁ ବୋଲି ବିଆର ମୁଖ୍ୟ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ନିମୁ ନିକଟରେ ବିଆର୍ଓ ତିନୋଟି ଗୁରୁତ୍ୱପୂର୍ଣ୍ଣ ସେତୁ ନିର୍ମାଣ କରିଛି। ଉକ୍ତ ସେତୁ ଉପର ଦେଇ ଭାରତୀୟ ସେନାର ଟ୍ୟାଙ୍କ ଓ ଅନ୍ୟାନ୍ୟ ଭାରିଯାନ ଚଳପ୍ରଚଳ କରିପାରିବ। ସୂଚନା ମୁତାବକ ପୂର୍ବରୁ ବାଲେ ସେତୁ ଉପର ଦେଇ ୨୪ ଟନର ଯାନ ଚଳପ୍ରଚଳ କରୁଥିଲା। ଦୀର୍ଘ ତିନିମାସ ଧରି ବିଆର୍ଓ ଉକ୍ତ ସେତୁର ନବୀକରଣ କରିବା ଫଳରେ ଏଣିକି ତା’ ଉପରେ ୭୦ ଟନର ଯାନବାହନ ଚଳପ୍ରଚଳ କରିପାରିବ।