ଭୁବନେଶ୍ୱର,ଏନ୍ଏନ୍ଏସ୍: ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବାହାର ରାଜ୍ୟରୁ ଶ୍ରମିକମାନେ ଭୁବନେଶ୍ୱରକୁ ଆସିପାରିବେନାହିଁ। ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି କଠୋର ପଦକ୍ଷେପ ନେଇଛି ବିଏମସି। କରୋନା ମହାମାରୀକୁ ନଜରରେ ରଖି ରାଜଧାନୀର କୌଣସି ବି ଶିଳ୍ପାଞ୍ଚଳ କିମ୍ବା କାରଖାନାରେ ବାହାର ରାଜ୍ୟର ଶ୍ରମିକଙ୍କ ପ୍ରବେଶ ନିଷେଧ କରାଯାଇଛି। ଭୁନେଶ୍ୱରର କୌଣସି ବି ଶିଳ୍ପ ସଂସ୍ଥା କାମ ପାଇଁ ବାହାର ରାଜ୍ୟର ଶ୍ରମିକଙ୍କୁ ଆଣିପାରିବେ ନାହିଁ । ତେବେ ଯଦି ପୂର୍ବରୁ କେହି ଆସିସାରିଛନ୍ତି ତେବେ ସେମାନଙ୍କୁ ବାଧ୍ୟତାମୂଳକ ଭାବରେ ପ୍ରଥମେ ୧୪ ଦିନିଆ କ୍ୱାରେଣ୍ଟିନରେ ରଖାଯିବ ଆଉ କ୍ୱାରେଣ୍ଟିନ ଅବଧି ସରିବା ପରେ ଯାଇ ସେମାନେ କାମରେ ଯୋଗ ଦେଇପାରିବେ ବୋଲି ସ୍ପଷ୍ଟ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଏଥିସହିତ ରାଜ୍ୟରେ ଅନେକ ପ୍ରବାସୀ ଶ୍ରମିକ କାମଧନ୍ଦା ହରାଇ ରୋଜଗାର ଶୂନ୍ୟ ହୋଇପଡିଛନ୍ତି ତେଣୁ ସେମାନଙ୍କୁ ଏହି କାମରେ ନିୟୋଜିତ କରିବାକୁ ବିଭିନ୍ ଶିଳ୍ପସଂସ୍ଥାର ମାଲିକମାନଙ୍କୁ ନିବେଦନ କରିଛନ୍ତି ବିଏମସି କମିଶନର।