ଋଷିକୁଲ୍ୟାରେ ଭାସିଗଲେ ୫ ଯୁବତୀ, ୪ ଉଦ୍ଧାର, ଜଣେ ନିଖୋଜ

ଶେରଗଡ,ହିଞ୍ଜିଳିକାଟୁ,୨୫ା୮/ଏନ୍ଏନ୍ଏସ୍: ଶେରଗଡ଼ ବ୍ଲକ୍ ହିଞ୍ଜିଳିଥାନା କାଞ୍ଜିଆମ୍ମା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଖୁଦୁରୁକୁଣୀ ଓଷା ପାଇଁ କାଞ୍ଜିଆମା ଗ୍ରାମର ୫ ଜଣ ଯୁବତୀ ଋଷିକୁଲ୍ୟା ନଦୀର ଉତ୍ତର ମୁହାଣକୁ ବାଲି ଆଣିବା ପାଇଁ ଯାଇଥିଲେ । ସେଠାରେ ଗାଧୋଇବା ସମୟରେ ନଦୀର ପ୍ରଖର ସ୍ରୋତରେ ୫ଜଣ ଯୁବତୀ ଭାସିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀ ୪ଜଣଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟଜଣେ ଯୁବତୀର ପତ୍ତା ମିଳିପାରିନାହିଁ । ଉଦ୍ଧାର ହୋଇଥିବା ଯୁବତୀମାନେ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ ଶେରଗଡ଼ ବ୍ଲକ୍ ତହଁର ପଞ୍ଚାୟତ କାଞ୍ଜିଆମା ଗ୍ରାମର ପୂଜା ଜେନା(୧୯), ଲିଜା ବେହେରା(୧୭), ଟିକି ବେହେରା(୧୭) ଓ ରୂପାଲି ବେହେରା(୧୬) ଓ ସେହିପରି ନିଖୋଜ ହୋଇଥିବା ଯୁବତୀ ଜଣକ ସିଲି ବେହେରା(୧୬) । ସୂଚନାକ୍ରମେ ରବିବାର ଖୁଦୁରୁକୁଣୀ ପୂଜା ପାଇଁ ଉକ୍ତ ୫ଜଣ ଯୁବତୀ ଗାଁ’ପାଶ୍ୱର୍ ଦେଇ ଯାଇଥିବା ଋଷିକୁଲ୍ୟା ନଦୀକୁ ବାଲି ଆଣିବା ପାଇଁ ଯାଇଥିଲେ । କୌଣସି କାରଣ ବଶତଃ ସେମାନଙ୍କ ଗୋଡ଼ ଖସିଯିବାରୁ ସେମାନେ ନଦୀ ମଧ୍ୟକୁ ଚାଲିଯାଇଥିଲେ । ସେମାନଙ୍କ ପାଟି ଶୁଣି ନଦୀରେ ଗାଧୋଉଥିବା ଗ୍ରାମର କିଛି ଲୋକ ନଦୀ ଭିତରୁ ୪ଜଣଙ୍କୁ ଉଦ୍ଧାର କରିଥିବାବେଳେ ସିଲିଙ୍କୁ ଖୋଜି ପାଇନଥିଲେ । ପରେ ଗ୍ରାମବାସୀ ହିଞ୍ଜିଳି ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମକୁ ଖବର ଦେଇଥିଲେ । ଖବରପାଇ ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସିଲିଙ୍କୁ ଖୋଜିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ଉଦ୍ଧାର ହୋଇଥିବା ୪ଜଣ ହିଞ୍ଜିଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଖବର ଲେଖାହେବା ପର୍ଯ୍ୟନ୍ତ ସିଲିଙ୍କ କୌଣସି ସନ୍ଧାନ ମିଳିନଥିବା ଅଗ୍ନିଶମ ଅଧିକାରୀ ଲବ ନାୟକ ସୂଚନା ଦେଇଛନ୍ତି ।